ମଝି ରାସ୍ତାରୁ ସ୍ବାମୀକୁ ଉଠାଇ ନେଲେ ଫାଇନାନ୍ସ କମ୍ପାନୀ ଅଧିକାରୀ: ସ୍ତ୍ରୀ କଲେ ଏମିତି କାମ

ବଲାଙ୍ଗୀର, ୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଋଣ କିସ୍ତି ଟଙ୍କା ପଇଠ ନ କରିବାରୁ ଏକ ଫାଇନାନ୍ସ କମ୍ପାନୀର ଦୁଇଜଣ ଅଧିକାରୀ ଋଣ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସହର ମଧ୍ୟସ୍ଥଳ ଏକ ରାସ୍ତାରୁ ଉଠାଇ ନେଇଥିବା ଏବଂ ଏହା ପରେସେଇ ବ୍ୟକ୍ତି ଜଣକ ଘରକୁ ଫେରି ନ ଥିବାରୁ ତାଙ୍କ ସ୍ତ୍ରୀ ବ୍ୟସ୍ତବିବ୍ରତ ହୋଇ ବଲାଙ୍ଗୀର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବାରପୁଡଗିଆ ଗାଁର ମନୋଜ ସା ନାମକ ଜଣେ ବ୍ୟକ୍ତି ଘରୋଇ ଫାଇନାନ୍ସ କମ୍ପାନୀଠାରୁ ପର୍ସନାଲ ଲୋନ ନେଇଥିଲେ । ଅର୍ଥ ସଙ୍କଟ କାରଣରୁ ସେ ଋଣର ଗୋଟିଏ କିସ୍ତି ଦେଇ ପାରି ନ ଥିଲେ। ରବିବାର ଅପରାହ୍ଣରେ ମନୋଜ ବଲାଙ୍ଗୀର ସହର ରମାଇ ଟକିଜ ନିକଟରେ ଥିବାବେଳେ ଉକ୍ତ ଫାଇନାନ୍ସ କମ୍ପାନୀର ଦୁଇଜଣ ଅଧିକାରୀ ତାଙ୍କ ପାଖକୁ ଆସି ତାଙ୍କୁ ଉଠାଇ ନେଇଥିଲେ । ଏନେଇ ମନୋଜ ଫୋନ କରି ତାଙ୍କ ସ୍ତ୍ରୀ ରୀତା ସାଙ୍କୁ ଜଣାଇଥିଲେ। ସୋମବାର ସନ୍ଧ୍ୟା ସୁଦ୍ଧା ମନୋଜ ଘରକୁ ନ ଫେରିବାରୁ ରୀତା ଟାଉନ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଉକ୍ତ ଫାଇନାନ୍ସ ଅଧିକାରୀଙ୍କୁ ପଚାରିବାରୁ ତାଙ୍କ ସ୍ବାମୀ ରବିବାର ସନ୍ଧ୍ୟାରୁ ଘରକୁ ଯାଇସାରିଛନ୍ତି ବୋଲି କହିଥିଲେ। ତେବେ ଏପର୍ଯ୍ୟନ୍ତ ମନୋଜ ଘରକୁ ଫେରି ନ ଥିବାରୁ ରୀତା ତାଙ୍କ ସ୍ବାମୀକୁ ଫାଇନାନ୍ସ ଅଧିକାରୀ ମାରପିଟ କରିଥିବା ଏବଂ ଜୀବନରେ ମାରି ଦେଇଥିବା ସନ୍ଦେହ କରି ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗ ପାଇଲା ପରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ପୋଲିସ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily