ସରିଲା ଚୂଡ଼ାନ୍ତ ସର୍ଭେ: ରିଂ ରୋଡ୍‌ରେ ସୁସଜ୍ଜିତ ହେବ ଅତାବିରା

ଅତାବିରା,୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ମୁଖ୍ୟାଳୟରୁ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିବ ରିଂ ରୋଡ୍‌ l ବିକଶିତ ଗାଁ ବିକଶିତ ଓଡ଼ିଶାର ବାସ୍ତବ ରୂପ ନେବ ଅତାବିରା l ଝାଉଁଜୋରର ଉଭୟ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ହୋଇ ପ୍ରତ୍ୟହ ହେବ ଆଳତି l ଏଥିପାଇଁ ସରିଛି ଚୂଡ଼ାନ୍ତ ସର୍ଭେ କାର୍ଯ୍ୟ l

ସୋମବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଏକ ବିଭାଗୀୟ ସର୍ଭେ ଟିମ୍‌ ଆସି ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଅତାବିରା ଏନ୍‌ଏସିର ଚତୁଃର୍ପାଶ୍ୱରେ ରହିଥିବା ରାସ୍ତା ପ୍ରଶସ୍ତିକରଣ ସହ ସୌନ୍ଦର୍ଯ୍ୟକରଣ କରାଯିବ। ଫଳରେ ନୂଆଁ ରୂପ ନେବ ରିଂ ରୋଡ଼ l ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ ସହ ଆଲୋକମାଳାରେ ଝଲସି ଉଠିବ ଅତାବିରା ଅଞ୍ଚଳର ରାସ୍ତାଘାଟ l ଧାନ ଚାଷରେ ଅତାବିରା ରାଜ୍ୟର ଭାତ ହାଣ୍ଡି ଭାବେ ପରିଚୟ ପାଇଥିବା ବେଳେ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ହୀରାକୁଦ ଡ୍ୟାମ୍‌ ପାଇଁ ଜିରୋ ପଏଣ୍ଟ ପର୍ଯ୍ୟଟନସ୍ଥଳ ଭାବେ ବଦଳିବ ଅତାବିରାର ମାନଚିତ୍ର l

୫୩ ନମ୍ବର ଜାତୀୟ ରାଜପଥର ଅତାବିରା-ସରଣ୍ଡା ଝାଉଁଜୋର ବ୍ରିଜରୁ ତଳ ମୁଣ୍ଡ ଓ ଉପର ମୁଣ୍ଡ ପାଚେରୀ ସହ ସୌନ୍ଦର୍ଯ୍ୟକାରଣ କରାଯିବ l ପ୍ରତ୍ୟହ ଜନସାଧାରଣ ନଦୀରେ ଆଳତି କରିପାରିବ। ଝାଉଁଜୋର ଅତାବିରା କଡ଼ରେ ଉପରକୁ ପରମାନପୁର ଓ ତଳକୁ ବାବେବିରା ଯାଏଁ ଆଲୋକୀକରଣ ସହ ରାସ୍ତା ନିର୍ମାଣ ଯୋଜନା କରାଯାଇଛି। ଏନେଇ ସର୍ଭେ ଚୂଡ଼ାନ୍ତ ହୋଇଥିବା ବେଳେ ଖୁବ ଶୀଘ୍ର ସରକାରଙ୍କ ଅନୁମୋଦନ ପରେ ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରକାଶ କରିଛନ୍ତି।

ସର୍ଭେ ଦଳରେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ସହ ବରଗଡ଼ ଜିଲା ବିଭାଗୀୟ ଅଧିକାରୀଙ୍କ ଏକ ପାଞ୍ଚ ଜଣିଆ ଟିମ୍‌ ସର୍ଭ ପାଇଁ ଆସିଥିଲେ। ଏଥିରେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ସମେତ ଅତାବିରା ଏନ୍‌ଏସି ଏକ ନମ୍ବର କାଉନସିଲର ଦୀପକ ରାୟ, ଭଜପା ନଗର ସଭାପତି ସତୀଶ ଚୌଧୁରୀ, ପୂର୍ବତନ ନଗର ସଭାପତି ତଥା ଏମ୍‌ପିଙ୍କ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ, ସରଣ୍ଡା ଶିବ ମନ୍ଦିର ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମିଶ୍ର, ଚକୁଳିର ଗୋପାକାହ୍ନୁ ପ୍ରଧାନ, ଖବରଦାତା ଯୁଧିଷ୍ଠିର ମହାପାତ୍ରଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।