କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ବିପାଶା: ଫିଲ୍ମ ନିର୍ମାତା ପଠାଉଥିଲେ ଏଭଳି ମେସେଜ୍‌.. ହେଲେ..

ବମ୍ବେ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ବ୍ଲାକ୍‌ ବିଉଟି ଭାବେ ବିପାଶା ବାସୁଙ୍କୁ କିଏ ବା ନଜାଣେ। ଦୁଇ ଦଶକ ଧରି ସିନେଜଗତରେ ରାଜ୍‌ କରିଥିବା ବିପାଶା ପୁଣିଥରେ ପରଦାକୁ ଫେରିଛନ୍ତି। ସ୍ବାମୀ କରନ୍‌ ସିଂ ଗ୍ରୋଭରଙ୍କ ସହ ‘ଡେନ୍‌ଜରିଅସ୍‌’ରେ ସେ ନଜର ଆସୁଛନ୍ତି। ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିବା ବିପାଶା ପାଞ୍ଚ ବର୍ଷ ପରେ ପୁଣି ଫେରିବାକୁ ନେଇ ଉତ୍ସାହିତ ଅଛନ୍ତି। ହେଲେ ବିପାଶାଙ୍କ ପାରମ୍ଭିକ ଅଭିନୟ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ଏପରିକି ତାଙ୍କୁ କାଷ୍ଟିଂ କାଉଚ୍‌ର ସାମ୍ନା କରିବାକୁ ପଡ଼ିଥିଲା।

‘ଡେନ୍‌ଜରିଅସ୍‌’ର ପ୍ରମୋଶନରେ ବ୍ୟସ୍ତ ଥିବା ବିପାଶା ନିଜର ଅତିତକୁ ମନେ ପକାଇଛନ୍ତି। କ୍ୟାରିୟର ଆରମ୍ଭ ସମୟରେ ତାଙ୍କୁ ଯୌନଶୋଷଣର ଶିକାର ହେବାକୁ ପଡ଼ିଥିଲା। ଖରାପ ବ୍ୟବହାରକୁ ସହି ପାରୁ ନ ଥିଲେ ସେ। ଏହାକୁ ନେଇ ସବୁ ଲୋକ ତାଙ୍କୁ ଡରୁଥିଲେ। ହେଲେ ଜଣେ ଲୋକପ୍ରିୟ ଫିଲ୍ମନିର୍ମାତା ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ। ତାଙ୍କ ସହ ବିପାଶା ଏକ ଚଳଚ୍ଚିତ୍ରରେ କାମ କରିବାକୁ ହଁ ଭରିଥିଲେ। ଏପରିସ୍ଥଳେ ସେ ଏକଦା ଘରକୁ ଫେରିବା ପରେ ତାଙ୍କୁ ଏକ ମେସେଜ୍‌ ମିଳିଥିଲା। ସେଥିରେ ଲେଖାଥିଲା ‘ ତୁମ ହସକୁ ମନେ ପକାଉଛି’। ଏହା ପଢ଼ି ବିପାଶାଙ୍କୁ ଅଜବ ଲାଗିଥିଲା। ହେଲେ ସେ ଏହାକୁ ଅଣଦେଖା କରିଥିଲେ। କିଛି ଦିନ ପରେ ପୁଣିଥରେ ନିର୍ମାତାଜଣଙ୍କ ତାଙ୍କୁ ସମାନ ମେସେଜ୍‌ ପଠାଇଥିଲେ। ବିପାଶା ଏଥିରେ ରାଗିଯାଇ ଫିଲ୍ମ ପାଇଁ ନେଇଥିବା ଟଙ୍କା ଫେରାଇ ଦେବାକୁ ତାଙ୍କ ସେକ୍ରେଟେରୀଙ୍କୁ କହିଥିଲେ। ଏପରିକି ସେ ନିର୍ମାତାଙ୍କ ସହ କାମ କରିବାକୁ ଚାହୁଁ ନ ଥିବା ରୋକଠୋକ ଶୁଣାଇ ଦେଇଥିଲେ। ଏହା ଜାଣିବା ପରେ ନିର୍ମାତାଜଣଙ୍କ ଟଙ୍କା ଫେରାଇବା ଦରକାର ନାହିଁ ବୋଲି କହିଥିଲେ। ସେବେଠାରୁ ତାଙ୍କୁ ଖରାପ ମେସେଜ୍‌ କରିବା ମଧ୍ୟ ବନ୍ଦ କରିଦେଇଥିବା ବିପାଶା କହିଛନ୍ତି।