ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଶକ୍ତ ଧକ୍କା, ପୁଣିଥରେ ଚମକାଇବା ଭଳି ନିଷ୍ପତ୍ତି ନେଲେ ଟ୍ରମ୍ପ

ଓ୍ବାଶିଂଟନ,୫।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହା ହଲିଉଡ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ଏକ ପୋଷ୍ଟ ଟ୍ରମ୍ପ ସୋସିଆଲ ମିଡଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରିଛନ୍ତି। ଏଥିରେ ଲେଖାଥିଲା, ‘ଆମେରିକାରେ ଚଳଚ୍ଚିତ୍ର ଶିଳ୍ପ ବହୁତ ଦ୍ରୁତ ଗତିରେ ଶେଷ ହେଉଛି। ଅନ୍ୟ ଦେଶଗୁଡ଼ିକ ଆମର ଚଳଚ୍ଚିତ୍ର ନିର୍ମାତା ଏବଂ ଷ୍ଟୁଡିଓଗୁଡ଼ିକୁ ଆମେରିକାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଜନା ପ୍ରଦାନ କରୁଛନ୍ତି। ହଲିଉଡ ଏବଂ ଆମେରିକାର ଅନେକ ଅଞ୍ଚଳ ଧ୍ୱଂସ ପାଉଛି। ଏହା ଅନ୍ୟ ଦେଶମାନଙ୍କ ଦ୍ୱାରା ଏକ ସୁଚିନ୍ତିତ ପ୍ରୟାସ, ତେଣୁ ଏହା ଜାତୀୟ ସୁରକ୍ଷା ପାଇଁ ବିପଦ।”
ଶୁଳ୍କ ସମ୍ପର୍କରେ ଟ୍ରମ୍ପ ଲେଖିଛନ୍ତି, ‘ମୁଁ ବାଣିଜ୍ୟ ବିଭାଗ ଏବଂ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କୁ ବିଦେଶରେ ନିର୍ମିତ ଏବଂ ଆମ ଦେଶରେ ଆମଦାନୀ ହେଉଥିବା ସମସ୍ତ ଚଳଚ୍ଚିତ୍ର ଉପରେ ୧୦୦% ଶୁଳ୍କ ଲାଗୁ କରିବା ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ଅଧିକାର ଦେଉଛି।’ ଆମେ ଚାହୁଁଛୁ ଯେ ଆମେରିକାରେ ପୁଣି ଥରେ ସିନେମା ତିଆରି ହେଉ!
ଟ୍ରମ୍ପଙ୍କ ୧୦୦ ପ୍ରତିଶତ ଶୁଳ୍କ ନିଷ୍ପତ୍ତିର ସିଧାସଳଖ ପ୍ରଭାବ ହଲିଉଡ ଉପରେ ପଡ଼ିବ। ହଲିଉଡରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକୁ ଏବେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଟ୍ରମ୍ପ ବିଶ୍ୱାସ କରନ୍ତି ଯେ ବିଦେଶରେ ନିର୍ମିତ ଚଳଚ୍ଚିତ୍ର ଦ୍ୱାରା ଆମେରିକାର କ୍ଷତି ହେଉଛି।