ରାଉରକେଲା,୬ା୨: ଫେବ୍ରୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ-ଲିଗ୍ (ପୁରୁଷ) ପାଇଁ ହକି ଇଣ୍ଡିଆ ଗୁରୁବାର ୨୪ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ୫ ଜଣ ଖେଳାଳି ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଏହି ଦଳରେ ଅଲିମ୍ପିଆନ୍ ତଥା ଅଭିଜ୍ଞ ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସଙ୍କ ସହ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଘରୋଇ ପରିବେଶରେ ପ୍ରୋ-ଲିଗ୍ ଭଳି ସମ୍ମାନଜନକ ପ୍ରତିଯୋଗିତା ଖେଳିବାକୁ ଯାଉଥିବା ଓଡ଼ିଶାର ଅନ୍ୟ ଖେଳାଳିମାନେ ହେଲେ ନୀଲମ ସଂଜୀପ ଖେସ୍, ଅମନଦୀପ ଲାକ୍ରା, ରୋଶନ କୁଜୁର ଓ ଶିଳାନନ୍ଦ ଲାକ୍ରା।
୨୧ ବର୍ଷୀୟ ମଧ୍ୟକ୍ରମ ଖେଳାଳି ରୋଶନ କୁଜୁର ପ୍ରଥମ ଥର ପାଇଁ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ସେ କନିଷ୍ଠ ବିଶ୍ୱକପ୍ କାଂସ୍ୟ ପଦକ ବିଜେତା ଦଳର ସଦସ୍ୟ ରହିବା ସହ ନିକଟରେ ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍ରେ ବିଜେତା ‘କଳିଙ୍ଗ ଲାନସର୍ସ’ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ସେହିଭଳି ହକି ଇଣ୍ଡିଆ ଲିଗ୍ରେ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଥିବା ଅମନଦୀପ ଲାକ୍ରା ମଧ୍ୟ ଦଳର ରକ୍ଷଣଭାଗକୁ ଶକ୍ତିଶାଳୀ କରିବେ।
ପୂର୍ବଭଳି ହରମନପ୍ରୀତ ସିଂହ ଦଳର ନେତୃତ୍ୱ ନେବେ। ରାଉରକେଲା ପର୍ଯ୍ୟାୟରେ ଭାରତୀୟ ଦଳ ଶକ୍ତିଶାଳୀ ଆର୍ଜେଣ୍ଟିନା ଓ ବେଲଜିୟମ ବିପକ୍ଷରେ ମଇଦାନକୁ ଓହ୍ଲାଇବ।ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ଙ୍କ ଅନୁଯାୟୀ, ଦଳରେ ଅଭିଜ୍ଞତା ଓ ଯୁବ ପ୍ରତିଭାର ଏକ ସନ୍ତୁଳନ ରହିଛି, ଯାହା ଘରୋଇ ମାଟିରେ ଦଳକୁ ସଫଳତା ଦେବାରେ ସହାୟକ ହେବ।
ଭାରତୀୟ ଦଳ: ଗୋରକ୍ଷକ-ସୁରଜ କେର୍କେରା, ପବନା ରକ୍ଷଣଭାଗ- ଅମିତ ରୋହିଦାସ, ଜର୍ମନପ୍ରୀତ ସିଂହ, ଯୁଗରାଜ ସିଂହ, ହରମପ୍ରୀତ ସିଂହ, ସୁମିତ, ସଂଜୟ, ନୀଲମ ସଂଜୀପ ଖେସ୍, ଅମନଦୀପ ଲାକ୍ରା, ମଧ୍ୟଭାଗ-ରାଜୀନ୍ଦର ସିଂହ, ମନମିତ ସିଂହ, ବିବେକ ସାଗର ପ୍ରସାଦ, ହାର୍ଦିକ ସିଂହ, ମୋଇରଙ୍ଗଥେମ୍ ରବିଚନ୍ଦ୍ର ସିଂହ, ନୀଳକାନ୍ତ ଶର୍ମା, ରୋଶନ କୁଜୁର, ଅଗ୍ରଭାଗ-ଅଭିଷେକ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା, ସେଲଭମ୍ କାର୍ତ୍ତି। ମନ୍ଦୀପ ସିଂହ, ଅରାଇଜିତ ସିଂହ ହୁଣ୍ଡାଲ, ଆଦିତ୍ୟ ଅର୍ଜୁନ ଲଲାଗେ।