Categories: Home Leftଖେଳ

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି। ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଏକମାତ୍ର ଗୋଲ୍ ଦେଇଥିବା ବେଳେ ବେଲଜିୟମର ଆକ୍ରମଣାତ୍ମକ ଖେଳ ଦଳକୁ ବିଜୟୀ କରାଇଛି।

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ତେବେ ଦ୍ୱିତୀୟ କ୍ୱାର୍ଟରର ୨୩ତମ ମିନିଟରେ ବେଲଜିୟମର ନେଲସନ ଓନାନା ପ୍ରଥମ ଗୋଲ୍ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ଠିକ୍ ୨୯ତମ ମିନିଟରେ ଭାରତୀୟ ଖେଳାଳି ଶିଳାନନ୍ଦ ଲାକ୍ରା ଏକ ଚମତ୍କାର ଗୋଲ୍ କରି ସ୍କୋରକୁ ୧-୧ ସମାନ ସ୍ଥିତିକୁ ଆଣିଥିଲେ।

ତୃତୀୟ କ୍ୱାର୍ଟରରେ ଭାରତର ରକ୍ଷଣପନ୍ଥୀ ବେଶ୍ ମଜଭୁତ ଥିଲେ ମଧ୍ୟ ଚତୁର୍ଥ କ୍ୱାର୍ଟରରେ ବେଲଜିୟମ ନିଜର ଦବଦବା ଜାରି ରଖିଥିଲା। ୫୩ତମ ମିନିଟରେ ଥୋମାସ୍ କ୍ରୋଲ୍ସ ଏବଂ ୫୭ତମ ମିନିଟରେ ଆର୍ନୋ ଭାନ ଡେସେଲ ଗୋଲ୍ କରି ବେଲଜିୟମର ବିଜୟ ସୁନିଶ୍ଚିତ କରିଥିଲେ।

ଭାରତୀୟ ଗୋଲକିପର ପବନ କେତେକ ଦୁର୍ଦ୍ଧର୍ଷ ସେଭ୍ କରି ବେଲଜିୟମକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସେହିପରି ବିବେକ ସାଗର ପ୍ରସାଦ ଏବଂ ଜର୍ମନପ୍ରୀତ ସିଂହ ମଧ୍ୟ ଗୋଲ୍ ଲାଇନରେ ଗୁରୁତ୍ୱପୂର୍ଣ୍ଣ ବଲ୍ ରୋକିବାରେ ସଫଳ ହୋଇଥିଲେ। ହେଲେ ଶେଷ କେଇ ମିନିଟର ଆକ୍ରମଣକୁ ଭାରତ ରୋକିପାରିନଥିଲା।

Share