ଏକାଠି ଲଢ଼ିବା ହିଁ ସର୍ବୋତ୍ତମ

ଯେକୌଣସି ସମସ୍ୟା ବିରୋଧରେ ଏକଜୁଟ ହୋଇ ଲଢ଼ିଲେ ସମାଧାନର ପଥ ସହଜ ହୋଇଥାଏ। ଏହା ପ୍ରତିି ପରିବାର, ସମାଜ, ରାଜ୍ୟ-ରାଜ୍ୟ ଅବା ଅନ୍ତର୍ଜାତୀୟସ୍ତରରେ ଦେଶ-ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ। ଏହା ଦ୍ୱାରା ସମସ୍ୟା ବିରୋଧରେ ଲଢ଼େଇ ପାଇଁ ନୂଆ ଚିନ୍ତା ଧାରା ସହିତ ଉତ୍ସାହ ବୃଦ୍ଧି ପାଇଥାଏ। ସମ୍ପ୍ରତି ଦେଖାଦେଇଥିବା କରୋନା ମହାମାରୀ ବିରୋଧରେ ସମଗ୍ର ବିଶ୍ୱ ସମୁଦାୟ ମଧ୍ୟରେ ଏକତା ଭାବ ଦେଖାଦେଇଛି, ଯାହାକି ଅପରିହାର୍ଯ୍ୟ ଥିଲା ବୋଲି ବହୁ ବୁଦ୍ଧିଜୀବୀଙ୍କ ସମେତ ଜାତିସଂଘ ପକ୍ଷରୁ କୁହାଯାଇଛି।
ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଜାତିସଂଘ ପକ୍ଷରୁ ଦକ୍ଷିଣ-ଦକ୍ଷିଣ ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ରାଜନୈତିକ, ଆର୍ଥିକ, ସାମାଜିକ, ସାଂସ୍କୃତିକ, ପରିବେଶ ଏବଂ ବୈଷୟିକ କ୍ଷେତ୍ରରେ ଦକ୍ଷିଣ ଦେଶ ମଧ୍ୟରେ ସହଯୋଗର ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ଲାଗି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସଚେତତନା ସୃଷ୍ଟିର ଗୁରୁତ୍ୱ ଉପଲବ୍ଧି କରାଯାଇଥିଲା। ଜାତିସଂଘରେ ୧୯୭୮ ବୁଏନୋସ ଆଇରେସରେ ବିକାଶଶୀଳ ଦେଶଙ୍କ ଦ୍ୱାରା ଗ୍ଲୋବାଲ ସାଉଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିକାଶଶୀଳ ଦେଶ ମଧ୍ୟରେ ବୈଷୟିକ ସହଯୋଗକୁ ପ୍ରୋତ୍ସାହନ ତଥା କାର୍ଯ୍ୟକାରୀ କରିବା ପାଇଁ ବୁଏନୋସ ଆଇରେସ ପ୍ଲାନ ଅଫ୍‌ ଆକ୍ସନ (ବାପା) ଗ୍ରହଣ କରାଯାଇଥିଲା। ପରେ ଏହାକୁ ବ୍ୟାପକ କରିବା ଲାଗି ୨୦୧୩ରେ ଏକ ପୃଥକ ସଂସ୍ଥା ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ଗଠନ କରାଯାଇଥିଲା। ପ୍ରତିବର୍ଷ ସେପ୍ଟେମ୍ବର ୧୨କୁ ୟୁନାଇଟେଡ୍‌ ନେଶନ ଡେ ଫର୍‌ ସାଉଥ୍‌-ସାଉଥ୍‌ କୋପରେଶନ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଜାତିସଂଘ ଦକ୍ଷିଣ-ଦକ୍ଷିଣ ସହଯୋଗ ହେଉଛି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତାର ଏକ ପ୍ରଦର୍ଶନ। ଏହାକୁ ଆଗେଇ ନେବାକୁ ୨୦୧୫ରେ ସେମାନଙ୍କର ଜାତୀୟତା ତଥା ସାମୁହିକ ଆତ୍ମନିର୍ଭରଶୀଳତା ଏବଂ ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡା ସମେତ ଅନ୍ତର୍ଜାତୀୟ ସ୍ତରରେ ସହମତ ବିକାଶ ଲକ୍ଷ୍ୟ ହାସଲ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ସାମ୍ପ୍ରତିକ ମହାମାରୀକୁ ଧ୍ୟାନରେ ରଖି ଏହି ପ୍ରକାର ସହଯୋଗ ବର୍ତ୍ତମାନ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହେଉଊଛି। ଏହି ବିଶ୍ୱ ସଙ୍କଟ ସମୟରେ ପ୍ରଭାବଶାଳୀ ଜ୍ଞାନକୌଶଳ, ନେତୃତ୍ୱ, ସମନ୍ବୟ, ଯୋଗାଯୋଗ ଏବଂ ସମସ୍ତଙ୍କ ପାଇଁ ସୁସ୍ବାସ୍ଥ୍ୟ ଲକ୍ଷ୍ୟ ନେଇ ଜାତିସଂଘର ଦକ୍ଷିଣ-ଦକ୍ଷିଣ ସହଯୋଗ ଉଦ୍ୟମ ଜାରି ରଖିଛି।

Share