ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା (ଆଇଏଫଏଫ) ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ୩.୫ କିଲୋମିଟର ଲମ୍ବା ରନଓ୍ବେରେ ଶୁକ୍ରବାର ଦିନ ଏକ ଐତିହାସିକ ପରୀକ୍ଷଣ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ହବାଇ ପଟ୍ଟି ଯାହା ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନ ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ। ଏହି ପରୀକ୍ଷଣ ଶାହଜାହାନପୁର ଜିଲ୍ଲାର ଜଲାଲାବାଦ ଅଞ୍ଚଳରେ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ବାୟୁସେନାର ରାଫେଲ, ଜାଗୁଆର, ମିରାଜ-୨୦୦୦, ମିଗ-୨୯, ଏସ୍ୟୁ-୩୦ ଏମେଆଇ ଆଦି ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହର୍କ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ଭ୫ ହେଲିକପ୍ଟର ସାମିଲ ହୋଇ ନିମ୍ନ ଉଡ଼ାଣ, ଅବତରଣ ଓ ଉଡ଼ାଣ ପରୀକ୍ଷା କରିଛନ୍ତି। ଦିନ ସମୟରେ ଆରମ୍ଭ ହୋଇଥିବା ଏହି ପରୀକ୍ଷଣ ରାତି ୭ଟାରୁ ୧୦ଟା ମଧ୍ୟରେ ରାତ୍ରିକାଳୀନ ଅବତରଣ ପରୀକ୍ଷା ସହିତ ସମାପ୍ତ ହୋଇଛି। ଏହି ରନଓ୍ବେରେ ଉନ୍ନତ ଆଲୋକ ବ୍ୟବସ୍ଥା ଓ ନାଭିଗେସନ ସିଷ୍ଟମ ସ୍ଥାପନ କରାଯାଇଛି, ଯାହା ରାତି ସମୟରେ ସୁରକ୍ଷିତ ଅବତରଣ ସମ୍ଭବ କରିଛି।
ଏହି ପରୀକ୍ଷଣ ଯୁଦ୍ଧ ବା ଜାତୀୟ ଜରୁରୀ ପରିସ୍ଥିତିରେ ବିମାନମାନଙ୍କ ପାଇଁ ବିକଳ୍ପ ରନୱେ ଭାବେ ଗଙ୍ଗା ଏକ୍ସପ୍ରେସୱେର ସାମର୍ଥ୍ୟକୁ ମୂଲ୍ୟାଙ୍କନ କରିଛି। ଏହା ବାୟୁସେନାର ଚବିଶ ଘଣ୍ଟା କାର୍ଯ୍ୟ କ୍ଷମତାକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟାନାଥ ଏହାକୁ ରାଜ୍ୟର ବିକାଶ ଓ ଜାତୀୟ ସୁରକ୍ଷା ପାଇଁ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି।
ଗଙ୍ଗା ଏକ୍ସପ୍ରେସୱେ ଉତ୍ତରପ୍ରଦେଶର ଚତୁର୍ଥ ଏକ୍ସପ୍ରେସୱେ ଯାହା ହବାଇ ପଟ୍ଟି ସୁବିଧା ସହିତ ର୍ନିମିତ ହୋଇଛି। ଏହା ପୂର୍ବରୁ ଆଗ୍ରା-ଲକ୍ଷ୍ନୌ, ପୂର୍ବାଞ୍ଚଳ ଓ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେରେ ମଧ୍ୟ ହବାଇ ପଟ୍ଟି ରହିଛି, କିନ୍ତୁ ରାତ୍ରିକାଳୀନ ସୁବିଧା ଏହା ପ୍ରଥମ। ୫୯୪ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସୱେ ମେରଠରୁ ପ୍ରୟାଗରାଜ ପର୍ଯ୍ୟନ୍ତ ୧୨ଟି ଜିଲ୍ଲାକୁ ସଂଯୋଗ କରୁଛି।