ଗଜପତି,୩୦।୧୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାରପିଟ ଘଟଣାର ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ରବିବାର ଅପରାହ୍ନ ସମୟରେ ଜଣେ ବ୍ୟକ୍ତି ନିଜର ପୋଷା କୁକୁରକୁ ଧରି ଡାକ୍ତରଙ୍କ ସହ ପରାମର୍ଶ ପାଇଁ ଚିକିତ୍ସାଳୟକୁ ଆସିଥିଲେ।
ଚିକିତ୍ସାଳୟରେ ନିୟୋଜିତ ସିକ୍ୟୁରିଟି ଗାର୍ଡମାନେ ତାଙ୍କୁ କୁକୁର ସହିତ ହସ୍ପିଟାଲ୍ରେ ପ୍ରବେଶ କରିବାକୁ ବାରଣ କରିଥିଲେ। ଏହାକୁ ନେଇ ଉକ୍ତ ବ୍ୟକ୍ତି ଏବଂ ସିକ୍ୟୁରିଟି ଗାର୍ଡମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ପ୍ରବଳ ବଚସା ହେବା ପରେ ପରିସ୍ଥିତି ହାତାହାତିରେ ପହଞ୍ଚିଥିଲା। ଏହି ଘଟଣାରେ ଜଣେ ସିକ୍ୟୁରିଟି ଗାର୍ଡ ଆହତ ହେବା ପରେ ଅନ୍ୟ ସିକ୍ୟୁରିଟି ଗାର୍ଡମାନେ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଖବର ପାଇ ପାରଳାଖେମୁଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହସ୍ତକ୍ଷେପ କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ସିକ୍ୟୁରିଟି ଗାର୍ଡଙ୍କ ଲିଖିତ ଅଭିଯୋଗ ଅନୁସାରେ ପାରଳାଖେମୁଣ୍ଡି ଥାନାରେ ଏକ ଅଭିଯୋଗ ଦାଖଲ କରାଯାଇଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।