ସିଡ୍ନୀ,୪ା୧: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ରବିବାରଠାରୁ ସିଡ୍ନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍ସିଜି)ରେ ପଞ୍ଚମ ତଥା ଅନ୍ତିମ ଆଶେସ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଜୋ ରୁଟ୍ ଓ ହ୍ୟାରୀ ବ୍ରୁକ୍ଙ୍କ ୧୫୪ ରନ୍ର ଭାଗୀଦାରିତା ଯୋଗୁ ଇଂଲଣ୍ଡ ପ୍ରଥମ ଦିନ ଶେଷ ପର୍ଯ୍ୟନ୍ତ ୩ ଉଇକେଟ ହରାଇ ୨୧୧ ରନ୍ କରିଛି। ଖରାପ ଆଲୋକ ଓ ଘଡ଼ଘଡ଼ି ସହ ବର୍ଷା କାରଣରୁ ଟି’ ପରେ ଖେଳ ସମ୍ଭବ ହୋଇପାରି ନ ଥିଲା।
ମ୍ୟାଚ୍ ଆରମ୍ଭ ପୂର୍ବରୁ ନିକଟ ବୋଣ୍ଡି ବିଚ୍ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ଲାଗି ଗାର୍ଡ ଅଫ୍ ଅନର ଓ ଉପସ୍ଥିତ ଦର୍ଶକଙ୍କ ଷ୍ଟାଣ୍ଡିଂ ଓଭେଶନ ଜରିଆରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅଷ୍ଟ୍ରେଲିଆନ୍ ବ୍ୟାଟର ଉସ୍ମାନ୍ ଖ୍ବାଜାଙ୍କ ଲାଗି ଏହା ବିଦାୟୀ ଟେଷ୍ଟ ମ୍ୟାଚ୍ ଥିବା ବେଳେ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ କୌଣସି ସ୍ପିନରଙ୍କୁ ସାମିଲ କରାଯାଇ ନାହିଁ, ଯାହାକି ୧୮୮୮ ପରେ ଏସ୍ସିଜିରେପ୍ରଥମ ଘଟଣା।
ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଜ୍ୟାକ୍ କ୍ରଲି ଓ ବେନ ଡକେଟ ପ୍ରଥମ ଉଇକେଟରେ ୩୫ ରନ୍ କରିଥିଲେ। ମାଇକେଲ ନେସରଙ୍କ ବଲ୍ରେ କ୍ରଲି (୧୬) ଏଲ୍ବିଡବ୍ଲ୍ୟୁ ଆଉଟ୍ ହେବାରୁ ଏହି ଯୋଡ଼ି ଭାଙ୍ଗିଥିଲା। ତାଙ୍କ ପରେ ଡକେଟ୍ ୨୭ ରନ୍କରି ମିଚେଲ ଷ୍ଟାର୍କଙ୍କ ବଲ୍ରେ ଉଇକେଟ ପଛରେ କ୍ୟାଚ୍ଆଉଟ୍ ହୋଇଥିଲେ। ତୃତୀୟ କ୍ରମରେ ବ୍ୟାଟିଂ ଆସିଥିବା ଜାକବ ବେଥେଲ(୧୦) ମଧ୍ୟ ବିଫଳ ହୋଇଥିଲା। ଇଂଲଣ୍ଡ ୫୭ ରନ୍ରେ ୩ ଉଇକେଟ ହରାଇ ସଙ୍କଟରେ ଥିବା ବେଳେ ରୁଟ୍ ଓ ବ୍ରୁକ ଦାୟିତ୍ୱ ସମ୍ଭାଳିଥିଲେ। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂକରି ଦଳୀୟ ସ୍କୋରକୁ ପ୍ରଥମେ ୧୦୦ ଓ ପରେ ୨୦୦ ଅତିକ୍ରମ କରାଇଥିଲେ। ଦୁହେଁ ଅବିଭାଜିତ ଚତୁର୍ଥ ଉଇକେଟ ପାଇଁ ୧୫୪ ରନ୍ ଯୋଡ଼ିଥିଲେ। ଆଲୋକ ଅଭାବ କାରଣରୁ ଟି’ର ୧୫ ମିନିଟ୍ ପୂର୍ବରୁ ଖେଳକୁ ରୋକାଯାଇଥିଲା। ହେଲେ ଏହାପରେ ଘଡ଼ଘଡ଼ି ସହ ବର୍ଷା ଯୋଗୁ ଖେଳ ସମ୍ଭବ ହୋଇ ନ ଥିଲା। ଫଳରେ ଇଂଲଣ୍ଡ ପ୍ରଥମ ଦିନ ଶେଷସୁଦ୍ଧା ୪୫ ଓଭରରେ ୩ ଉଇକେଟ ହରାଇ ୨୧୧ ରନ୍ କରିଛି। ଷ୍ଟମ୍ପ୍ ଅପସାରଣ ବେଳକୁ ରୁଟ୍ ୭୨(୮ ଚୌକା) ଓ ବ୍ରୁକ୍ ୭୮(୬ ଚୌକା, ୧ ଛକା) ରନ୍ରେ ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ, ନେସର ଓ ସ୍କଟ୍ ବୋଲାଣ୍ଡ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି।