ଫ୍ଲୋରିଡ଼ା,୧୫ା୧: ଚଳିତ ବର୍ଷ ହେବାକୁଥିବା ପୁରୁଷ ଫୁଟ୍ବଲ ବିଶ୍ୱକପ୍ ପାଇଁ ୫୦୦ ନିୟୁତରୁ ଊର୍ଦ୍ଧ୍ୱ ଟିକେଟ ଲାଗି ଅନୁରୋଧ ଆସିଥିବା ଫିଫା ବୁଧବାର ପ୍ରକାଶ କରିଛି। ଫୁଟ୍ବଲର ଗଭର୍ନିଂବଡ଼ି କହିଛି ଆୟୋଜକ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍ଏ), ମେକ୍ସିକୋ ଓ କାନାଡା ବାହାରେ ଜର୍ମାନୀ, ଇଂଲଣ୍ଡ, ବ୍ରାଜିଲ, ସ୍ପେନ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା ଓ କଲମ୍ବିଆରେ ବାସ କରୁଥିବା ଖେଳପ୍ରେମୀଙ୍କ ତରଫରୁ ଅଧିକ ଅନୁରୋଧ ଆସିଛି।
ଫିଫା ଟିକେଟ ପିଛା ୮, ୬୮୦ ଡଲାର ପାଇଁ କହିଥିଲା। ମାତ୍ର ସମାଲୋଚନା ପରେ ଫିଫା ଗତ ମାସରେ କହିଥିଲା ଯେ, ଏହି ଟୁର୍ନାମେଣ୍ଟରେ ୪୮ଟି ଜାତୀୟ ମହାସଂଘ ଲାଗି ପ୍ରତି ମ୍ୟାଚ ପିଛା ଟିକେଟର ମୂଲ୍ୟ ୬୦ ଡଲାର ଧାର୍ଯ୍ୟ କରିଛି। ଟିକେଟଗୁଡ଼ିକ କିପରି ବଣ୍ଟନ କରାଯିବ ତାହା ମହାସଂଘଗୁଡ଼ିକ ସ୍ଥିର କରିବେ।
ତୃତୀୟ ପର୍ଯ୍ୟାୟ ବିକ୍ରି ଗତ ଡିସେମ୍ବର ୧୧ରୁ ମଙ୍ଗଳବାର ପର୍ଯ୍ୟନ୍ତ ହୋଇଥିଲା। ଏଥିରେ ଫ୍ଲୋରିଡ଼ାର ମାୟାମି ଗାର୍ଡେନ୍ସଠାରେ ଜୁନ୍ ୨୭ରେ ଖେଳାଯିବାକୁଥିବା କଲମ୍ବିଆ ବନାମ ପର୍ତ୍ତୁଗାଲ ମ୍ୟାଚର ଚାହିଦା ସବୁଠାରୁ ଅଧିକ ରହିଥିଲା।