ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବିଶ୍ୱକପ୍ରେ କେଉଁ ଦଳ ଗ୍ରୁପ୍ ପର୍ଯ୍ୟାୟରେ କେବେ କାହାକୁ ଭେଟିବ, ତାହା ସ୍ପଷ୍ଟ ହୋଇଛି।
ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ୪୮ ଦେଶ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ଫାଇନାଲ ସମେତ ୧୦୪ ମ୍ୟାଚ୍ ଖେଳାଯିବ। କେନେଡି ସେଣ୍ଟରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମେକ୍ସିକୋର ରାଷ୍ଟ୍ରପତି କ୍ଲାଉଡିଆ ସେଇବାଉମ ଓ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାରନି ଯୋଗ ଦେଇଥିଲେ।
୩ ଥରର ଚାମ୍ପିୟନ ଆର୍ଜେଣ୍ଟିନା ଜୁନ ୧୬ ତାରିଖରେ ଆଲଜେରିଆକୁ ଭେଟିବ। ଟାଇଟଲ ଡିଫେଣ୍ଡିଂ ଲକ୍ଷ୍ୟରେ ଥିବା ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଗ୍ରୁପ୍-ଜେ’ର ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଅଷ୍ଟ୍ରିଆ ଓ ଜୋର୍ଡାନକୁ ଭେଟିବ।
ଟୁର୍ନାମେଣ୍ଟ ବେଳେ ୩୯ ବର୍ଷରେ ପାଦ ଦେବାକୁ ଯାଉଥିବା ମେସି ଏଥିରେ ଖେଳିବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଆୟୋଜକ ଆମେରିକା ଗ୍ରୁପ୍ ଡି’ରେ ସ୍ଥାନ ପାଇଛି ଏବଂ ଏହି ଦଳ ଜୁନ ୧୨ ପାରାଗୁଏକୁ ତା’ର ପ୍ରଥମ ମ୍ୟାଚ୍ ଭେଟିବ। ୧୯୬୬ରେ ଏକମାତ୍ର ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ଗ୍ରୁପ୍-ଏଲ୍ରେ କ୍ରୋଏସିଆ, ଘାନା ଓ ପାନାମା ଭଳି ଦଳ ସହିତ ରହିଛି। ସେହିଭଳି ଗ୍ରୁପ୍ ସି’ରେ ପାଞ୍ଚ ଥରର ଚାମ୍ପିୟନ ବ୍ରାଜିଲ, ମରକୋ, ହାଇତି ଓ ସ୍କଟଲାଣ୍ଡ ସ୍ଥାନ ପାଇଥିବାବେଳେ ଟପ୍ ର଼୍ୟାଙ୍କ ସ୍ପେନ ସହିତ କେପ ଭର୍ଡି, ସାଉଦି ଆରବିଆ, ଉରୁଗୁଏ ଗ୍ରୁପ୍-ଡି’ରେ ସ୍ଥାନ ପାଇଛନ୍ତି।