Categories: Home Leftଖେଳ

ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ଦୁଇ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୩।୬: ଏସିଆନ୍‌ କପ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଫିଫା ବିଶ୍ୱ ର଼୍ୟାଙ୍କିଙ୍ଗ୍ସରେ ଭାରତ ଉପରକୁ ଉଠିଛି। ପୂର୍ବରୁ ୧୦୬ତମ ସ୍ଥାନରେ ଥିବା ଭାରତ ଦୁଇଟି ସ୍ଥାନ ଉପରକୁ ଉଠିଥିବା ଫିଫା ପକ୍ଷରୁ ଗୁରୁବାର ପ୍ରକାଶ କରାଯାଇଥିବା ର଼୍ୟାଙ୍କିଙ୍ଗ୍ସରେ ଦର୍ଶାଯାଇଛି। ଫିଫା ର଼୍ୟାଙ୍କିଙ୍ଗ୍ସରେ ଏଭଳି ପରିବର୍ତ୍ତନ ସତ୍ତ୍ୱେ ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ସଦସ୍ୟଙ୍କ ମଧ୍ୟରେ ଭାରତୀୟ ଦଳ ୧୯ତମ ସ୍ଥାନରେ ରହିଛି। ଏଏଫ୍‌ସି ଦେଶମାନଙ୍କ ମଧ୍ୟରେ ଇରାନ(୨୩ତମ) ଶୀର୍ଷରେ ଅଛି।

ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଏସିଆନ୍‌ କପ୍‌ କ୍ୱାଲିଫିକେଶନ ରାଉଣ୍ଡରେ ଗ୍ରୁପ୍‌ ଡି’ରେ ସମସ୍ତ ୩ ମ୍ୟାଚ୍‌ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିସହିତ ୨୦୨୩ରେ ୨୪ ଦଳକୁ ନେଇ ହେବାକୁ ଥିବା ଇଭେଣ୍ଟରେ ସ୍ଥାନ ପକ୍କା କରିଛି। ଫିଫା ର଼୍ୟାଙ୍କିଙ୍ଗ୍ସ ଟପ୍‌-୩ରେ ପରିବର୍ତ୍ତନ ପରିଲଖିତ ହୋଇଛି। ବ୍ରାଜିଲ ପୂର୍ବଭଳି ଶୀର୍ଷରେ ଥିବା ବେଳେ ବେଲଜିୟମ ତା’ର ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। କିନ୍ତୁ ଆର୍ଜେଣ୍ଟିନା ଫ୍ରାନ୍ସ(ଚତୁର୍ଥ)କୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉନ୍ନୀତ ହେଇଛି। ଇଂଲଣ୍ଡ, ସ୍ପେନ, ଇଟାଲି, ନେଦରଲାଣ୍ଡ୍ସ, ପର୍ତ୍ତୁଗାଲ ଓ ଡେନମାର୍କ ଟପ୍‌-୧୦ରେ ରହିଛନ୍ତି। ପରବର୍ତ୍ତୀ ଫିଫା ର଼୍ୟାଙ୍କିଙ୍ଗ୍‌ ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ।