Categories: HomeHome Middle

ବଢ଼ୁଛି କନ୍ୟାଭ୍ରୂଣ ହତ୍ୟା: ୩୦୦ ଗର୍ଭପାତ କେନ୍ଦ୍ରର ଲାଇସେନ୍ସ ରଦ୍ଦ

ଚଣ୍ଡୀଗଡ଼,୧୨।୪:ହରିୟାଣାରେ ପୁଅଙ୍କ ତୁଳନାରେ ଝିଅ ସଂଖ୍ୟା ଉଦ୍‌ବେଗଜନକ ଭାବେ ହ୍ରାସ ପାଇଚାଲିଛି। ୨୦୨୪ର ତଥ୍ୟ ଅନୁଯାୟୀ ପ୍ରତି ୧୦୦୦ ପୁଅରେ ଝିଅ ସଂଖ୍ୟା ୯୧୦କୁ ହ୍ରାସ ପାଇଛି। ରାଜ୍ୟରେ କନ୍ୟାଭ୍ରୂଣ ହତ୍ୟା ର଼୍ୟାକେଟ ବଢ଼ିଚାଲିଥିବା ଏକ ତଦନ୍ତରୁ ଜଣାପଡ଼ିବା ପରେ ବେଆଇନ ଗର୍ଭପାତ ରୋକିବା ପାଇଁ ସରକାର ଟାସ୍କଫୋର୍ସ ଗଠନ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଫଳରେ ହରିୟାଣାରେ ୧,୫୦୦ ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍ନାନ୍ସି (ଏମ୍‌ଟିପି) ସେଣ୍ଟର ମଧ୍ୟରୁ ୩୦୦ର ଲାଇସେନ୍ସ ରଦ୍ଦ କରାଯାଇଛି କିମ୍ବା ସେମାନେ ସ୍ବଇଚ୍ଛାରେ ଲାଇସେନ୍ସ ଫେରାଇ ଦେଇଛନ୍ତି।
ଟାସ୍କଫୋର୍ସରେ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ନିଶା ନିବାରଣ ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ, ହରିୟାଣାର ନିର୍ଦ୍ଦେଶକ ଡ. ବୀରେନ୍ଦ୍ର ଯାଦବ ଏହାର ମୁଖ୍ୟ ରହିଛନ୍ତି। ଟାସ୍କଫୋର୍ସକୁ ପ୍ରତି ମଙ୍ଗଳବାର ସାପ୍ତାହିକ ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ କରିବାକୁ କୁହାଯାଇଛି। ୨୦୧୯ରେ ପ୍ରତି ୧,୦୦୦ ପୁଅରେ ଝିଅ ସଂଖ୍ୟା ୯୨୩ ଥିବାବେଳେ ୨୦୨୪ରେ ଏହା ୯୧୦କୁ ହ୍ରାସ ପାଇଥିବା ଜଣାପଡ଼ିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ୨୩ଟି ଗର୍ଭପାତ କେନ୍ଦ୍ରକୁ ନୋଟିସ୍‌ ଜାରି ହେବା ସହ ଅନ୍‌ଲାଇନରେ ଏମ୍‌ଟିପି କିଟ୍ସ ବିକ୍ରି କରୁଥିବା ୧୭ଟି ସଂସ୍ଥା ବିରୋଧରେ ଏତଲା ଦାଏର ହୋଇଛି। ପ୍ରି-କନ୍‌ସେପ୍‌ଶନ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍‌ନିକ୍‌ (ପିସିପିଏନ୍‌ଡିଟି) ଆଇନର କାର୍ଯ୍ୟକାରିତାକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ କେନ୍ଦ୍ର ଉପରେ ୨୩ ଥର ଚଢ଼ାଉ କରାଗଲାଣି। ହସାର ଜିଲାର ପିଏନ୍‌ଡିଟି ନୋଡାଲ ଅଫିସରଙ୍କୁ ନିଲମ୍ବନ କରାଯିବା ସହ ୧୨ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବରିଷ୍ଠ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ପୁଅ-ଝିଅ ଅନୁପାତ ସବୁଠୁ ଖରାପ ଥିବା ୩ଟି ସିଏଚ୍‌ସିର ମେଡିକାଲ ଅଫିସରଙ୍କ ନାଁରେ ଚାର୍ଜଶିଟ୍‌ ହୋଇଛି। ସେହିପରି କମ୍‌ ସେକ୍ସ ରେସିଓ ଥିବା ୫ ଜିଲାର ପିଏନ୍‌ଡିଟି ନୋଡାଲ ଅଫିସରଙ୍କୁ ବଦଳି କରାଯାଇଛି।

Share