ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଜଣେ ବ୍ୟକ୍ତି ସେନା ଅଫିସର ପରିଚୟ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆରବ ନାମକ ଯୁବକଙ୍କ ଘର ଦିଲ୍ଲୀର ଛତରପୁରରେ ଓ ସେ ଡେଲିଭରି ବୟ ଭାବେ କାର୍ଯ୍ୟ କରନ୍ତି। ସେ ନିଜକୁ ସେନାର ଜଣେ ଲ୍ୟୁଟ୍ନାଣ୍ଟ ପରିଚୟ ଦେଇ ଡାକ୍ତରଙ୍କ ସହ ଇନ୍ଷ୍ଟାଗ୍ରାମ୍ରେ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଉଭୟ ହ୍ବାଟ୍ସଆପ୍ରେ ଚାର୍ଟିଂ ଆରମ୍ଭ କରିଥିଲେ ବୋଲି ପୋଲିସ କହିଛି। ଆରବ ଜମ୍ମୁ-କଶ୍ମୀରରେ ପୋଷ୍ଟିଂ ହୋଇଥିବା କହିବା ସହ ସେନା ପୋଷାକରେ ଥିବା ଫଟୋ ପଠାଇଥିଲେ। ଚଳିତ ମାସ ଆରମ୍ଭରେ ସେ ଦିଲ୍ଲୀ ଆସି ଡାକ୍ତରଙ୍କ ମସ୍ଜିଦ ମୋଥ୍ ଅଞ୍ଚଳରେ ଥିବା ଘରକୁ ଯାଇଥିଲେ। ସେଠାରେ ସେ ଡାକ୍ତରଙ୍କୁ ଖାଦ୍ୟରେ ନିଶା ଦେଇ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ୧୬ ତାରିଖରେ ଡାକ୍ତରଙ୍କ ଅଭିଯୋଗକ୍ରମେ ପୋଲିସ ଛତରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ଏକ ସେନା ପୋଷାକ ଦୋକାନରୁ ଏହାକୁ କିଣିଥିଲେ ବୋଲି ଜେରା ବେଳେ ପୋଲିସକୁ କହିଛନ୍ତି।