ଉଲଗ୍ନ କରି ଯାଞ୍ଚ କରିବା ପଡ଼ିଲା ମହଙ୍ଗା

ଗୁଆହାଟୀ,୨୬।୩: ୮୦ ବର୍ଷୀୟା ମହିଳାଙ୍କୁ ଉଲଗ୍ନ ଯାଞ୍ଚ କରିବା ମହଙ୍ଗା ପଡିଛି। ଗୁଆହାଟୀ ବିମାନ ବନ୍ଦରରେ ନିଯୁକ୍ତ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ର ଜଣେ ମହିଳା କନ୍‌ଷ୍ଟେବଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ସିଆଇଏସ୍‌ଏଫ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୃଦ୍ଧାଙ୍କ ଝିଅ ଗୁରୁବାର ଟୁଇଟରରେ ଏହି ସଂକ୍ରାନ୍ତରେ ଏକ ପୋଷ୍ଟ ଶେୟାର କରିଥିଲେ। ମା’ଙ୍କ ଅଣ୍ଟା ସମସ୍ୟା ଥିବାରୁ ଅଣ୍ଟାରେ ଟାଇଟାନିୟମ୍‌ ମେଟାଲ ଖଞ୍ଜା ଯାଇଥିଲା। ଏନେଇ ତାଙ୍କୁ ଏକ ହ୍ବିଲ୍‌ ଚେୟାରରେ ନିଆଯାଉଥିଲା। ଅଣ୍ଟାରେ ମେଟାଲ ଖଞ୍ଜା ଯାଇଛି କି ନାହିଁ ଜାଣିବା ପାଇଁ ବିମାନବନ୍ଦରରେ ଥିବା ମହିଳା ସିଆଇଏସ୍‌ଏଫ୍‌ କନଷ୍ଟେବଳ ଜଣକ ବୃଦ୍ଧାଙ୍କ ପୋଷାକ ଖୋଲି ଚେକିଂ କରିଥିବା କଥା ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ ଶେୟାର ହେବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଘଟଣାର ଯାଞ୍ଚ ହେବା ସହ ମହିଳା କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଛି। ଏହି ପୋଷ୍ଟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦୃଷ୍ଟିରେ ପଡ଼ିଥିବାବେଳେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।