Categories: Home Leftଖେଳ

‘ବୁମରା ମୋତେ ଆଉଟ୍‌ କରିବାକୁ ଚାହୁଁ ନ ଥିଲେ’

ଲିଡ୍ସ,୨୪।୮ : ଲଡର୍‌ସଠାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ପେସର ଯଶପ୍ରୀତ ବୁମରା ପ୍ରତିପକ୍ଷ ଦଳର ବରିଷ୍ଠ ପେସର ଜେମ୍ସ ଆଣ୍ଡରସନଙ୍କୁ ଲଗାତାର ବାଉନ୍ସର ଓ ଶର୍ଟ ପିଚ୍‌ ବଲ ପକାଇଥିଲେ। ତେବେ ବୁମରା ମୋତେ ଆଉଟ୍‌ କରିବାକୁ ଉଦ୍ୟମ କରୁ ନ ଥିଲେ ବୋଲି ଆଣ୍ଡରସନ କହିଛନ୍ତି। ବୁମରା ଗୋଟିଏ ଓଭରରେ ୧୦ ବଲ ପକାଇଥିଲେ, ଯେଉଁଥିରେ ପ୍ରାୟତଃ ବାଉନ୍ସର ଥିଲା। ଗୋଟିଏ ବଲ ଆଣ୍ଡରସନଙ୍କ ହେଲମେଟ୍‌ରେ ମଧ୍ୟ ବାଜିଥିଲା।

ପିଚ୍‌ ଧିମା ହୋଇଯାଇଥିଲା। ବୁମରା ଧିମା ବୋଲିଂ କରୁଥିଲେ। କିନ୍ତୁ ଘଣ୍ଟା ପ୍ରତି ୯୦ ମାଇଲ୍‌ ଗତିରେ ମୋତେ ବଲ ପକାଇଥିଲେ ବୁମରା। ପୂରା କ୍ୟାରିୟରରେ ମୁଁ ଏଭଳି ଅନୁଭବ କରି ନ ଥିଲି। ମୋତେ ଲାଗୁଥିଲା, ସେ ମୋତେ ଆଉଟ୍‌ କରିବାକୁ ଉଦ୍ୟମ କରୁ ନାହାନ୍ତି। ସେ ଗୋଟିଏ ଓଭରରେ ୧୦ ବଲ ପକାଇଥିଲେ। ଲଗାତାର ନୋ ବଲ ପରେ ମଧ୍ୟ ସେ ଶର୍ଟ ପିଚ୍‌ ବଲ ପକାଇବା ଛାଡ଼ି ନ ଥିଲେ। ମୋ ମତରେ, ସେ ଷ୍ଟମ୍ପ ଲାଇନରେ ଦୁଇଟି ବଲ ପକାଇଥିଲେ, ଯାହାକୁ ଡିଫେନ୍ସ କରି ଦେଇଥିଲି ବୋଲି ଆଣ୍ଡରସନ କହିଛନ୍ତି।

ଇଂଲଣ୍ଡର ପେସରମାନେ ମଧ୍ୟ ବୁମରାଙ୍କୁ ଖୁବ୍‌ ବାଉନ୍ସର ମାରିଥିଲେ। କିନ୍ତୁ ମହମ୍ମଦ ଶାମି ଓ ବୁମରାଙ୍କ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇ ନ ଥିଲେ, ଯାହା ଫଳରେ ଟିମ୍‌ ଇଣ୍ଡିଆ ବୃହତ୍‌ ବିଜୟ ହାସଲ କରିପାରିଥିଲା।