Categories: Home Middleଖେଳ

କଳିଙ୍ଗ ଷ୍ଟାଡିୟମରେ ୧୨ରୁ ଫେଡେରେଶନ କପ୍‌: ଆକର୍ଷଣରେ ନୀରଜ ଚୋପ୍ରା, କିଶୋର ଜେନା

ଭୁବନେଶ୍ୱର, ୮।୫ (ତପନ ସ୍ବାଇଁ): କିଛି ଦିନର ବ୍ୟବଧାନ ପରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ତାରକା ଆଥ୍‌ଲେଟଙ୍କ ମହାମେଳା। ଚଳିତ ମାସ ୧୨ରୁ ୧୫ ପର୍ଯ୍ୟନ୍ତ ଏଠାରେ ଅନୁଷ୍ଠିତ ହେବ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୭ତମ ସଂସ୍କରଣ।

ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଏବଂ ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ସହଯୋଗରେ ୪ ଦିନ ବିଶିଷ୍ଟ ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୦ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୧୮ଟି ଇଭେଣ୍ଟରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀ ଆକ୍ସନରେ ଦେଖିବାକୁ ମିଳିବେ।

ଫେଡେରେଶନ କପ୍‌ର ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ଓଡ଼ିଶାର କିଶୋର ଜେନା ମଧ୍ୟ ଆକ୍ସନରେ ଦେଖିବାକୁ ମିଳିବେ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ବୁଧବାର ଟୁଇଟ୍‌ ଯୋଗେ ଏହା ସ୍ପଷ୍ଟ କରିଦିଆ ଯାଇଛି। ନୀରଜ ୩ ବର୍ଷ ବ୍ୟବଧାନରେ ଘରୋଇ ପରିବେଶରେ ପ୍ରଥମଥର ପାଇଁ ଟ୍ରାକ୍‌କୁ ଓହ୍ଲାଇବେ।

Share