ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ବର୍ତ୍ତମାନର ଆଇନରେ ସଂଶୋଧନ ନିମନ୍ତେ ବିଚାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶର ଶିଳ୍ପ ଅଭିବୃଦ୍ଧିକୁ ଅଟକାଇବାରେ ମୁଖ୍ୟତଃ ଟ୍ରେଡ୍‌ ୟୁନିୟନବାଦ୍‌ ଦାୟୀ। ଟ୍ରେଡ୍‌ ୟୁନିୟନ ପାଇଁ ଦେଶରେ ଅନେକ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଥିବା ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତ କହିଛନ୍ତି। ଅବଶ୍ୟ ଅନେକ ସମୟର ଶ୍ରମିକ, କର୍ମଚାରୀମାନେ ଶୋଷଣର ଶିକାର ହୋଇଥାନ୍ତି। ତେବେ ଏହାକୁ ରୋକିବାରେ ଅନେକ ବ୍ୟବସ୍ଥା ରହିଛି। ଲୋକମାନଙ୍କୁ ସେମାନଙ୍କ ବ୍ୟକ୍ତିଗତ ଅଧିକାର ସମ୍ପର୍କରେ ଅଧିକ ସଚେତନ କରାଇବାକୁ ହେବ। ସେମାନଙ୍କୁ ଅଧିକ କୁଶଳୀ କରାଯିବା ଆବଶ୍ୟକ। ସେହିଭଳି ଅନେକ ସଂସ୍କାର ରହିଛି, ଯାହା କରାଯାଇପାରିବ ବୋଲି ସିଜେଆଇ କହିଛନ୍ତି।
ସାରା ଦେଶରେ ଅନେକ ଲକ୍ଷ ଘରୋଇ ସହାୟକ ଅସୁବିଧାର ସମ୍ମୁଖୀନ ହେଉଥିବା କଥାକୁ ସିଜେଆଇ ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ସ୍ବୀକାର କରିଛନ୍ତି। ତେବେ ବ୍ୟବସ୍ଥାପିକାର ଆଇନ ପ୍ରଣୟନ କ୍ଷମତା ଉପରେ ନ୍ୟାୟପାଳିକା ହସ୍ତକ୍ଷେପ କରିପାରିବ ନାହିଁ। ତେଣୁ ଆବେଦନକାରୀମାନେ ଘରୋଇ ସହାୟକମାନଙ୍କ ସମସ୍ୟା ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆବଶ୍ୟକ, ଯେପରି ସେମାନେ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।

Dharitri – Odisha’s No.1 Odia Daily

Share