Aedes albopictus Mosquito. Super macro close up a Mosquito sucking human blood,
ଜଗତ୍ସିଂହପୁର ଅଫିସ,୨।୮: କରୋନା ସଂକ୍ରମଣକୁ ନେଇ ଜିଲାବାସୀ ଚିନ୍ତାରେ ଥିବାବେଳେ ଏବେ ଡେଙ୍ଗୁ ଭୟର ବାତାବରଣ ସୃଷ୍ଟି କରିଛି। ଏଥିମଧ୍ୟରେ ଜିଲାରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ ଧରାଧରପୁର ଗାଁର ଜଣେ, ତାରପୁରର ଜଣେ, ରଘୁନାଥପୁର ବଡ଼ତିହଡ଼ା ଜଣେ, ଜଗତ୍ସିଂହପୁର ପୌର ପରିଷଦ ଜଣେ, ଜଗତ୍ସିଂହପୁର ପାଟେଣୀଗଁା ଜଣେ, କୁଜଙ୍ଗ ବାଲିଆ ଜଣେ, କୁଜଙ୍ଗ ପିପଳ ଜଣେ, ଏରସମା ଜିରେଇଲୋ ଜଣେ, ଓଡ଼ିଶୋ ଅଭିଧାଆନନ୍ଦପୁରରୁ ଜଣେ ଚିହ୍ନଟ ହୋଇଥିବା ଜିଲା ମ୍ୟାଲେରିଆ ଅଧିକାରୀ (ଡିଏମ୍ଓ) ଡା. କ୍ଷେତ୍ରବାସୀ ଦାଶ ସୂଚନା ଦେଇଛନ୍ତି। ଆଗକୁ ସଂଖ୍ୟା ଯଥେଷ୍ଟ ବଢ଼ିବା ଆଶଙ୍କା କରାଯାଉଛି। କାରଣ ଜଗତ୍ସିଂହପୁର ଜିଲା ଏକ ତଳିଆ ଅଞ୍ଚଳ। ବର୍ଷାଦିନେ ବିଭିନ୍ନ ସ୍ଥାନରେ ପାଣି ଜମି ରୁହେ। ବାଉଁଶବୁଦା, ଅଦରକାରୀ ପ୍ଲାଷ୍ଟିକ୍ ଆଦି ସାମଗ୍ରୀରେ ପାଣି ଜମି ରହି ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶାକୁ ବଂଶବିସ୍ତାର କରିବାକୁ ସୁଯୋଗଦିଏ। ବିଗତ ବର୍ଷଗୁଡ଼ିକର ପରିସଂଖ୍ୟାନ ଦେଖିଲେ ଜଣାଯାଏ, ୨୦୨୦ରେ ଜିଲାରେ ୮ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ୨୦୧୯ରେ ୨୪୯, ୨୦୧୮ରେ ୧୦୫୬, ୨୦୧୭ରେ ୨୩୫ ଓ ୨୦୧୬ରେ ୩୩୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଥିଲା। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପରେ ଡେଙ୍ଗୁ ରୋଗୀ ଚିହ୍ନଟ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଉପରୋକ୍ତ ଚିକିତ୍ସାଳୟରେ ପ୍ରସ୍ତୁତ ଥିବା ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଉଛି। ମଶାରି ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି। ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଉଛି। ଏ ସମ୍ପର୍କରେ ଜଗତ୍ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ (ମେଡିକାଲ) ଡା. ଅଜୟ ସ୍ବାଇଁ ସୂଚନା ଦେଇ କହିଛନ୍ତି, ଜୁଲାଇ ୨୯ ସୁଦ୍ଧା ଜିଲାରେ ୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଇତିମଧ୍ୟରେ ୨ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଜଣେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ଡେଙ୍ଗୁ ୱାର୍ଡରେ ୩ଟି ଶଯ୍ୟା ଓ ମଶାରି ଆଦି ବ୍ୟବସ୍ଥା କରାଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକଙ୍କ କହିବା କଥା ହେଲା, ଜଗତ୍ସିଂହପୁର ପୌର ପରିଷଦ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିରାକରଣ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ମଶାଧୂଅଁା କି ନାଳ ନର୍ଦ୍ଦମାରେ ମଶା ମାରିବାକୁ ତେଲ ପକାଯାଉ ନାହିଁ। ଅତୀତରେ ଯେଉଁସବୁ ସ୍ଥାନରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ସେସବୁ ଗଁା ଓ ୱାର୍ଡ ସମେତ ଜିଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଆବଶ୍ୟକ ସଚେତନତା କରାଯାଉନାହିଁ। କେବଳ ଉପରଠାଉରିଆ ଭାବେ ଗାଡ଼ି ସାହାଯ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ଡେଙ୍ଗୁ ସଚେତନତା ବାର୍ତ୍ତା ଦିଆଯାଉଛି। ଆଶ୍ଚର୍ଯ୍ୟର କଥା ହେଲା ନିର୍ଦ୍ଦିିଷ୍ଟ ରାସ୍ତାରେ ଏହି ଗାଡ଼ି ଯାଉଥିବା ବେଳେ କ’ଣ ବାର୍ତ୍ତା ଦିଆଯାଉଛି ତାହା ମଧ୍ୟ ସ୍ପଷ୍ଟ ହେଉନି। କେନାଲ, ଡ୍ରେନ୍ ଆଦି ଠିକ୍ ଭାବେ ସଫେଇ କରାଯାଉ ନ ଥିବା ଅଭିଯୋଗ ହୋଇଛି।