ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଆଶଙ୍କା-ଭାଙ୍ଗିଯିବ ଶିନ୍ଦେ ସରକାର, କହିଲେ ଆଦିତ୍ୟ ଠାକରେ…

ନୂଆଦିଲ୍ଲୀ, ୨୩।୭ : ଶିବସେନା ନେତା ଆଦିତ୍ୟ ଠାକରେ ଶନିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଖୁବ ଶୀଘ୍ର ଭାଙ୍ଗି ପଡ଼ିବ। ଏଥି ସହ ଖୁବ ଶୀଘ୍ର ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ଶିବ ସମ୍ବାଦ ଯାତ୍ରାର ତୃତୀୟ ଦିନରେ ଦଳର କର୍ମୀମାନଙ୍କର ଏକ ବୈଠକରେ ଆଦିତ୍ୟ ଏହା ମଧ୍ୟ କହିଛନ୍ତି ଯେ ବିଦ୍ରୋହୀ ଶିବସେନା ବିଧାୟକମାନେ ତାଙ୍କ ପିତା ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅସୁସ୍ଥ ଥିବାବେଳେ ବିଶ୍ୱାସଘାତକତା କରିଥିଲେ।

ଆଦିତ୍ୟ ଠାକରେ କହିଛନ୍ତି ଯେ ମୋର କଥା ମନେ ରଖନ୍ତୁ, ଏହି ସରକାର ଶୀଘ୍ର ଭାଙ୍ଗିବ। ଆଗକୁ ମହାରାଷ୍ଟ୍ର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ମୁଖୀନ ହେବ। ଶିବସେନା ମନ୍ତ୍ରୀମାନେ ପୂର୍ବ ମହା ବିକାଶ ଆଘାଡ଼ି ସରକାରରେ ଟଙ୍କା ପାଇନାହାଁନ୍ତି ବୋଲି ପୈଠଣ ବିଧାନସଭା ଆସନର ଶିବସେନା ବିଧାୟକ ସନ୍ଦିପନ ଭୁମେରଙ୍କ ଅଭିଯୋଗକୁ ମଧ୍ୟ ଠାକୁର ପ୍ରତ୍ୟାଖ୍ୟାନ କରିଛନ୍ତି।

ଠାକରେ କହିଛନ୍ତି ଯେ ମରାଠୱାଡା ୱାଟର ଗ୍ରୀଡ ପ୍ରକଳ୍ପ ଅଧୀନରେ ପୈଠଣ ଅଞ୍ଚଳ ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଛି। ସେ କହିଛନ୍ତି ଯେ ଭୁମରଙ୍କୁ ପାଞ୍ଚ ଥର ବିଧାନସଭା ଟିକେଟ ଦିଆଯାଇଛି। ଯେତେବେଳେ ମୁଁ ଭାବିଲି ଏହି ଲୋକମାନଙ୍କ ପାଇଁ ଆମେ କ’ଣ ନକରିଛୁ। ସେତେବେଳେ ମୋ ଆଖିରେ ଲୁହ ଆସିଯାଇଥିଲା।କିନ୍ତୁ ଏହା କାନ୍ଦିବାର ସମୟ ନୁହେଁ, ଲଢ଼େଇ କରିବାର ଏହା ହେଉଛି ସମୟ । ବର୍ତ୍ତମାନର ରାଜ୍ୟ ସରକାର କେବଳ ଶିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଇ ଜଣଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଆଦିତ୍ୟ ଅଭିଯୋଗ କରିଛନ୍ତି।

Share