Categories: Home Leftଖେଳ

ଗୋଆ ଦ୍ୱିତୀୟ ଥର ଚାମ୍ପିୟନ

ଭୁବନେଶ୍ୱର,୪ା୫(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ବୋର୍ଜା ହେରେରା ଗୋଞ୍ଜାଲେଜଙ୍କ ଡବଲ ଗୋଲ ବଳରେ ଏଫ୍‌ସି ଗୋଆ ୩-୦ ଗୋଲରେ ଜାମଶେଦପୁର ଏଫ୍‌ସିକୁ ହରାଇ ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୧୯ରେ ଚାମ୍ପିୟନ ହୋଇଥିବା ଗୋଆ ପ୍ରଥମ ଦଳଭାବେ ୨ ଥର ଟାଇଟଲ ଜିତିବାକୁ ସକ୍ଷମ ହୋଇଛି। ଡବଲ ଗୋଲ ସ୍କୋରର ବୋର୍ଜା ଗୋଞ୍ଜାଲେଜ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ବିଧାୟକ ଜୟନାରାୟଣ ମିଶ୍ର, ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ ସଭାପତି କଲ୍ୟାଣ ଚୌବେ, କ୍ରୀଡ଼ା ସଚିବ ଭାସ୍କର ଜ୍ୟୋତି ଶର୍ମା ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଗୋଆ ଦଳକୁ ଟ୍ରଫି ଓ ସ୍ବର୍ଣ୍ଣ ପଦକ ସହ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ରନରଅପ୍‌ ଜାମଶେଦପୁର ଦଳ ରୌପ୍ୟ ପଦକ ସହିତ ୧୫ ଲକ୍ଷ ଟଙ୍କାର ପୁରସ୍କାର ଗ୍ରହଣ କରିଥିଲା। ଗୋଆର ଇକର ଗୌରୋକ୍ସେନା ଓ ବୋର୍ଜା ଗୋଞ୍ଜାଲେଜ ୪ଟି ଲେଖାଏ ଗୋଲ ଦେଇ ଯୁଗ୍ମ ଟପ୍‌ ସ୍କୋରର ବିବେଚିତ ହୋଇଥିଲେ। ଚାମ୍ପିୟନ ହୋଇଥିବା ଗୋଆ ଦଳ ୨୦୨୫-୨୬ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ମ୍ୟାଚ ଆରମ୍ଭ ହେବାକ୍ଷଣି ଜାମଶେଦପୁର ଏଫ୍‌ସି ଆକ୍ରମଣାତ୍ମକ ଆଭିମୁଖ୍ୟ ଅବଲମ୍ବନ କରି ଗୋଲ ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ଜାଭି ହର୍ନାଣ୍ଡେଜଙ୍କ ଶଟ୍‌କୁ ଗୋଆ ଗୋଲକିପର ସେଭ୍‌ କରି ଦେଇଥିଲେ। ପ୍ରତି ଆକ୍ରମଣକରି ସଫଳ ହୋଇଥିଲା ଗୋଆ। ୨୩ତମ ମିନିଟ୍‌ରେ ବୋର୍ଜା ହର୍ନାଣ୍ଡେଜ ଗୋଲ ଦେଇ ଗୋଆକୁ ଅଗ୍ରଣୀ କରିଥିଲେ। ଜାମଶେଦପୁର ଏଫ୍‌ସି ଗୋଲକିପର ଆଲବିନୋ ଗୋମ୍ସ ୨ ଥର ସେଭ୍‌ କରିଥିଲେ ହେଁ ବୋର୍ଜା ଚତୁରତାର ସହ ରିବାଉଣ୍ଡ ଶଟ୍‌ ସହ ଏହାକୁ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ବେଳକୁ ଗୋଆ ୧-୦ରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଜାମଶେଦପୁର ଗୋଲ ପରିଶୋଧ କରିବାକୁ ଉଦ୍ୟମରେ ଥିବାବେଳେ ୫୨ତମ ମିନିଟ୍‌ରେ ବୋର୍ଜା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରି ଗୋଆକୁ ଡ୍ରାଇଭର ସିଟରେ ବସାଇ ଦେଇଥିଲେ। ୮୦ତମ ମିନିଟ୍‌ରେ ଡେଜାନ ଡ୍ରାଜିକ୍‌ ଆଉ ଏକ ଗୋଲ ଦେବାରୁ ଗୋଆର ବିଜୟ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଥିଲା।