ଲକ୍ଷ୍ନୌ,୧୩।୧: ଉତ୍ତର ପ୍ରଦେଶର ଗୋରଖପୁରରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଓ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଦୁଇ ସନ୍ତାନର ପିତା ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ (ଜେଣ୍ଡର ଚେଞ୍ଜ) କରାଇ ମହିଳା ହୋଇଯାଇଛନ୍ତି। ବିବାହର ୭ ବର୍ଷ ପରେ ଯେତେବେଳେ ପତ୍ନୀଙ୍କୁ ଏହି ସତ ଜଣାପଡ଼ିଲା, ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ତୁରନ୍ତ ନ୍ୟାୟ ଆଶାରେ କୋର୍ଟରେ ପହଞ୍ଚି ଏହାକୁ ନିଜ ପ୍ରତି ଧୋକା ବୋଲି ଅଭିଯୋଗ କରିଛନ୍ତି। ଏପରିକି ସେ ସ୍ବାମୀଙ୍କଠାରୁ ଜରିମାନା ଓ ନ୍ୟାୟର ଦାବି କରିଛନ୍ତି।
ପୀଡ଼ିତା ପତ୍ନୀଙ୍କ କହିବାନୁସାରେ, ତାଙ୍କ ବିବାହକୁ ୭ ବର୍ଷ ବିତିଛି। ତାଙ୍କର ଦୁଇଟି ଝିଅ ଅଛନ୍ତି। ସ୍ବାମୀ ଦିଲ୍ଲୀର ଏକ ପ୍ରାଇଭେଟ କମ୍ପାନୀରେ ଉଚ୍ଚ ପଦବୀରେ କାର୍ଯ୍ୟରତ। ପ୍ରାୟ ୨ ବର୍ଷ ପୂର୍ବେ ସେ ଦିଲ୍ଲୀ ଯାଇ ଗୁପ୍ତରେ ଲିଙ୍ଗ ପରିବର୍ତ୍ତନ କରାଇଥିଲେ, କିନ୍ତୁ ଏହି ବଡ଼ ନିଷ୍ପତ୍ତି ନେଇ କୌଣସି ସୂଚନା ପରିବାରକୁ ଦେଇ ନ ଥିଲେ। ମାତ୍ର ପତ୍ନୀଙ୍କ ହାତରେ ମେଡିକାଲ ଡକ୍ୟୁମେଣ୍ଟ ପଡ଼ିବା ପରେ ଏହି ଚକିତ କଲାଭଳି ସତ ସାମ୍ନାକୁ ଆସିଥିଲା। ପରେ ସେ କୋର୍ଟରେ ଦାଖଲ କରିଥିବା ଅଭିଯୋଗରେ ସ୍ବାମୀଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ମହିଳା କହିଛନ୍ତି, ବିବାହ ପରଠାରୁ ସ୍ବାମୀଙ୍କ ବ୍ୟବହାର ଅସାଧାରଣ ଥିଲା। ସେ ପ୍ରାୟତଃ ମାରପିଟ ଓ ମାନସିକ ପ୍ରତାଡ଼ନା କରୁଥିଲେ। ସେ ନିଜେ ବନ୍ଧୁମାନଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ପତ୍ନୀଙ୍କୁ ମଧ୍ୟ ଏଥିପାଇଁ ବାଧ୍ୟ କରୁଥିଲେ। ଗତ ବର୍ଷ ସ୍ବାମୀ ତାଙ୍କୁ ନିର୍ମମ ଭାବେ ମାରପିଟ କରି ଘରୁ ବାହାର କରିଦେଇଥିଲେ, ଯାହାପରେ ସେ ନିଜ ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତାରେ ରହିଛନ୍ତି। ଏବେ ସତ ସାମ୍ନାକୁ ଆସିବା ପରେ ପତ୍ନୀ କୋର୍ଟରେ ଭରଣ-ପୋଷଣ ଓ ଜରିମାନାର ଦାବି କରିଛନ୍ତି।
ଅନ୍ୟପକ୍ଷରେ ସ୍ବାମୀ ସମସ୍ତ ଅଭିଯୋଗକୁ ଅବାସ୍ତବ ଓ ମିଛ ବୋଲି କହିଛନ୍ତି। ସ୍ବାମୀଙ୍କ ପକ୍ଷରୁ ମଧ୍ୟ କୋର୍ଟରେ ଅଭିଯୋଗ ଦାଖଲ ହୋଇଛି। ବର୍ତ୍ତମାନ କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣୁଛି ଏବଂ ମାମଲାର ଗଭୀର ତଦନ୍ତ ଚାଲିଛି।
ପୀଡ଼ିତାଙ୍କ କହିବାନୁସାରେ, ସ୍ବାମୀଙ୍କ ଏହି ପଦକ୍ଷେପ କେବଳ ତାଙ୍କ ବୈବାହିକ ଜୀବନକୁ ନଷ୍ଟ କରିନାହିଁ, ବରଂ ତାଙ୍କର ଦୁଇ ନିରୀହ ଝିଅଙ୍କ ଭବିଷ୍ୟତକୁ ମଧ୍ୟ ଅନିଶ୍ଚିତତାରେ ପକାଇଦେଇଛି। ସେ ଏବେ ଆଇନଗତ ଲଢ଼େଇ ଜରିଆରେ ନିଜ ଓ ସନ୍ତାନମାନଙ୍କ ପାଇଁ ଅଧିକାର ଦାବି କରୁଛନ୍ତି। ଏହି ଘଟଣା ବିବାହ, ପରିଚୟ, ବିଶ୍ୱାସ ଓ ଆଇନଗତ ଅଧିକାର ସମ୍ବନ୍ଧୀୟ ଗଭୀର ପ୍ରଶ୍ନ ଉଠାଇଛି।
Dharitri – Odisha’s No.1 Odia Daily