ସୂଚନା ମୁତାବକ, ଉଗ୍ରସେନ ଟ୍ରାକ୍ଟର ଦ୍ୱାରା ବାଲି,ଗୋଡ଼ି ଓ ପଥର ବ୍ୟବସାୟ କରୁଛନ୍ତି। ତାଙ୍କ ସହ ନିକଟସ୍ଥ ଅନଙ୍ଗପୁର ଓ ଓଡ଼ାସିଙ୍ଗି ଗ୍ରାମର କେତେକ ବ୍ୟବସାୟୀ ନରସିଂହପୁର ଗ୍ରାମରେ ପହଞ୍ଚି ଯୁକ୍ତିତର୍କ କରିଥିଲେ। ଉଗ୍ରସେନ ଉତ୍ତେଜିତ ହୋଇ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରିବାରୁ ସେମାନେ ସଂଘବଦ୍ଧ ହୋଇ ତାଙ୍କୁ ମାଡ଼ ମାରିଥିଲେ। ବାପା ଡମ୍ବରୁ ଏବଂ ମା’ କସ୍ତୁରୀ ଘଟଣାସ୍ଥଳକୁ ଯାଇ ପୁଅ ଉଗ୍ରସେନଙ୍କୁ ଉଦ୍ଧାର କରିବା ବେଳେ ଉଭୟଙ୍କୁ ମଧ୍ୟ ସେମାନେ ଆକ୍ରମଣ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଆହତମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଗ୍ରସେନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଖବର ପାଇ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି ।