ଚଣ୍ଡିଗଡ଼,୨୭।୬:ସମ୍ପର୍କଲେ ଲାଗିଲା କଳଙ୍କ। ବାପା ସମାନ ଶ୍ୱଶୁର ବୋହୂକୁ କଲେ ବଳାତ୍କାର । ପରେ ୧୦ ଫୁଟ ଗଭୀର ଗାତ ଖୋଳି ପୋତି ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ହରିୟାଣାର ଫରିଦାବାଦରେ। ଘଟଣାର ତଦନ୍ତ ସମୟରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ଜଣେ ୨୪ ବର୍ଷୀୟା ମହିଳାଙ୍କ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏପ୍ରିଲ ମାସରେ ଉକ୍ତ ମହିଳାଙ୍କ ସହ ଏସବୁ ଘଟଣା ଘଟିଥିଲେ ମଧ୍ୟ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କ ଶ୍ୱଶୁର ଘର ଲୋକେ ସେ ନିଖୋଜ ଥିବା କହିଥିଲେ ।
ସୂଚନାଯୋଗ୍ୟ, ଫିରୋଜାବାଦ ଜିଲାର ସିକୋହାବାଦର ଉକ୍ତ ମହିଳା ୨୦୨୩ ଜୁଲାଇ ମାସରେ ଫରିଦାବାଦରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ତଦନ୍ତରୁ ଜଣା ପଡିଛି । ଜୁନ ୨୧ରେ ଘର ବାହାରେ ୧୦ ଫୁଟ ଗଭୀର ଗର୍ତ୍ତ ଭିତରୁ ତାଙ୍କ ମୃତଦେହ ମିଳିବା ପରେ ସବୁ ଘଟଣା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଚରାଉଚରା ବେଳେ ଅଭିଯୁକ୍ତ ଶ୍ୱଶୁର ତାଙ୍କ ଦୋଷ ସ୍ବୀକାର କରିଛନ୍ତି । ପୋଲିସ ତିନି ଦିନିଆ ରିମାଣ୍ଡରେ ତାଙ୍କୁ ନେଇଛି । ପୋଲିସ କହିଛି ଯେ, ଏପ୍ରିଲ ୧୪ରେ ମହିଳାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଥିଲା। ଯୋଜନାସ୍ବ ରୂପ, ମହିଳାଙ୍କ ଶାଶୁଙ୍କୁ ଉତ୍ତରପ୍ରଦେଶର ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଠା ଯାଇଥିଲା । ଏପ୍ରିଲ ୨୧ରେ ମହିଳାଙ୍କ ସ୍ବାମୀ ଓ ତାଙ୍କ ଭଉଣୀଙ୍କୁ ଖାଦ୍ୟରେ ନିଦ ବଟିକା ଦିଆଯାଇ ଅଚେତ କରାଯାଇଥିଲା । ଉକ୍ତ ମହିଳାଙ୍କୁ ମଧ୍ୟ ନିଦ ବଟିକା ଦିଆ ଯାଇଥିଲା । ସେମାନେ ଭିନ୍ନ ଭିନ୍ନ କୋଠରୀରେ ଶୋଇଥିଲେ । ଶ୍ୱଶୁର ବୋହୂ ଶୋଇଥିବା ରୁମକୁ ହତ୍ୟା କରିବାକୁ ଯାଇଥିଲେ। ହେଲେ ତା ପୂର୍ବରୁ ସେ ତାଙ୍କ ଅଚେତ ଅବସ୍ଥାରେ ଥିବା ବୋହୂଙ୍କୁ ବଳାତ୍କାର କରିଥିଲେ । ମାତ୍ର ଏପର୍ଯ୍ୟନ୍ତ ସେ ଏହି ଘଟଣା ତାଙ୍କ ସ୍ତ୍ରୀ କିମ୍ବା ପୁଅଙ୍କୁ ଜଣାଇ ନଥିଲେ । ହତ୍ୟାକାଣ୍ଡ ଘଟାଇବା ପରେ ସେ ତାଙ୍କ ପୁଅକୁ ଛାତ ଉପରକୁ ଡାକି ମହିଳାଙ୍କ ମୃତଦେହକୁ ଏକ ଜରିରେ ଗୁଡାଇ ରାସ୍ତାରେ ପୂର୍ବରୁ ଖୋଳା ଯାଇଥିବା ଗର୍ତ୍ତରେ ଫିଙ୍ଗିଥିଲେ । ମୃତଦେହ ଫିଙ୍ଗି ତା ଉପରେ ସ୍ଲାବ ପକାଇ ଦେଇଥିଲେ ।
ପୋଲିସ କହିଛି ଯେ, ଏହି ଗର୍ତ୍ତକୁ ଡ୍ରେନ କାମ କରିବା ପାଇଁ ଖୋଳା ଯାଇଥିଲା। ଏହି ଘଟଣା ଘଟାଇବା ପରେ ଏପ୍ରିଲ ୨୫ରେ ସେ ନିଖୋଜ ଖବର ରୁଜୁ କରିଥିଲେ। ତଦନ୍ତ ବେଳେ ଶ୍ୱଶୁରଙ୍କ ସମେତ ଶାଶୁ, ସ୍ବାମୀ ଓ ନଣନ୍ଦଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।