ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ ଆସିଥିବା ଝିଅଙ୍କ ପାଇଁ ତାଙ୍କ ବାପା ଉତ୍ସବ ପାଳନ କରିଛନ୍ତି, ଯାହା ଅନ୍‌ଲାଇନରେ ଅନେକଙ୍କ ହୃଦୟ ଜିଣିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ନାଚଗୀତ ଓ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦୃଶ୍ୟ ଦେଖିବାକୁ ମିଳିଛି। ପରିବାର ଲୋକେ ବାଜା ଓ ଫୁଲମାଳ ନେଇ ମହିଳା ଜଣଙ୍କୁ ସ୍ବାଗତ କରିଥିଲେ। ଏସବୁର କେନ୍ଦ୍ରରେ ଥିଲେ ଝିଅଙ୍କ ବାପା, ଯିଏ କି ଜଣେ ଅବସରପ୍ରାପ୍ତ ବିଚାରପତି। ସେ ତାଙ୍କ ଝିଅଙ୍କ ଡାଇଭର୍ସକୁ ଏକ ଅସୁବିଧା ନୁହେଁ, ବରଂ ଏକ ନୂଆ ଆରମ୍ଭ ଭାବେ ବିବେଚନା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ମିରଟର ଶାସ୍ତ୍ରୀନଗର ବାସିନ୍ଦା ପ୍ରତୀକ୍ଷା ୨୦୧୮ରେ ଶାହଜାହାନପୁର ନିବାସୀ ମେଜର ଗୌରବ ଅଗ୍ନିହୋତ୍ରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ମଧ୍ୟ ରହିଛି। ତେବେ କିଛିଦିନ ପରେ ସେମାନଙ୍କ ବୈବାହିକ ଜୀବନରେ ସମସ୍ୟା ଦେଖାଦେଇଥିଲା। ଶାଶୁଘର ଲୋକେ ହଇରାଣ କରିବା ସହ ବିବାଦ ଯୋଗୁ ସମ୍ପର୍କ ଭାଙ୍ଗିବା ଅବସ୍ଥାକୁ ଆସିଯାଇଥିଲା। ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ଶନିବାର ଦମ୍ପତିଙ୍କ ଛାଡ଼ପତ୍ରକୁ ଆନୁଷ୍ଠାନିକ ମଞ୍ଜୁରୀ ମିଳିଥିଲା। ପ୍ରତୀକ୍ଷା ବାପଘରେ ପହଞ୍ଚତ୍ବା ପରେ ତାଙ୍କ ବାପା ଉତ୍ସବର ସହ ତାଙ୍କୁ ସ୍ବାଗତ କରିଥିଲେ। ବାଜା ବଜାଇ ପରିବାର ଲୋକେ ନାଚିଥିଲେ ଓ ତାଙ୍କ ଉପରେ ପୁଷ୍ପବୃଷ୍ଟି କରିଥିଲେ। ଝିଅଙ୍କୁ ବହୁତ ଭଲ ପାଆନ୍ତି ଏବଂ ସର୍ବସମ୍ମୁଖରେ ଏଥିପାଇଁ ଗର୍ବିତ ବୋଲି ତାଙ୍କ ବାପା କହିଛନ୍ତି। ଝିଅମାନେ ପୁଅଙ୍କ ସହ ସମାନ ଏବଂ ସମାନ ସ୍ନେହ, ପ୍ରେମ, ମର୍ଯ୍ୟାଦା ଓ ସମର୍ଥନ ପାଇବାକୁ ହକ୍‌ଦାର, ଏହା ଜଣାଇଦେବା ତାଙ୍କ ଉଦ୍ଦେଶ୍ୟ। ସେ ତାଙ୍କ ଝିଅଙ୍କୁ ଦୁଃଖୀ ଦେଖିପାରିବେ ନାହିଁ। ୬ ବର୍ଷର ବୈବାହିକ ଜୀବନରେ ସେ ଅସୁଖୀ ଥିଲେ। ଏବେ ସେ ଅଧିକ ଦୁଃଖ ଯନ୍ତ୍ରଣା ଅନୁଭବ କରନ୍ତୁ, ଏହା ଚାହେଁନାହିଁ ବୋଲି ବାପା କହିଛନ୍ତି।

Dharitri – Odisha’s No.1 Odia Daily

Share