ଢେଙ୍କିକୋଟ,୨୪ା୧୦(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟ୍ ପୋଲିସ ବିଟ୍ ହାଉସ ଅନ୍ତର୍ଗତ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ୨୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା, ଝିଅ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦ୍ୱୟ ବାଲେଶ୍ୱରର କିଶୋର ଚନ୍ଦ୍ର ପଢ଼ିଆରି ଓ ଝିଅ ଭାଗ୍ୟଶ୍ରୀ ପଢିଆରି।
ପ୍ରକାଶ ଯେ, ଭାଗ୍ୟଶ୍ରୀ ତେଲକୋଇ ସ୍କୁଲ୍ରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। କୌଣସି ପରୀକ୍ଷା ଥିବାରୁ ବାପାଙ୍କ ସହ ସ୍କୁଟି (ନଂ. ଓଡି ୦୧ ୱାଇକ୍ୟୁ ୭୬୦୬) ଯୋଗେ ବାଲେଶ୍ୱରକୁ ଯାଉଥିଲେ। ୨୦ ନମ୍ବର ଜାତୀୟ ରାଜପଥ ମରାମତି କାର୍ଯ୍ୟ ଯୋଗୁ ୨ ଲେନ୍ ବନ୍ଦ ରହିଥିଲା। କୌଣସି ସିଗନାଲ ନ ଦେଇ ଗୋଟିଏ ପାର୍ଶ୍ୱରେ ୨ ଲେନ୍ରେ ଗାଡ଼ି ଯାତାୟତ କରୁଥିଲା।
ଏହି ସମୟରେ ଢେଙ୍କିକୋଟ ହାଇସ୍କୁଲ ସମ୍ମୁଖ ବିପରିତ ଦିଗରୁ ଆସୁଥିବା କାର (ନଂ. ଓଡି ୦୯ ଏମ ୩୯୮୯) ସ୍କୁଟିକୁ ସମ୍ମୁଖରୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା। ବାପ, ଝିଅ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଘଟଗାଁ ଡାକ୍ତରଖାନାକୁ ପଠାଇଥିଲେ। କିଶୋରଙ୍କ ଦୁଇଗୋଡ଼ ଜଙ୍ଘରୁ ଭାଙ୍ଗି ଯାଇଥିବା ବେଳେ ଭାଗ୍ୟଶ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଘଟଗଁା ଡା. ମୁକ୍ତିକାନ୍ତ ନାୟକ ସୂଚନା ଦେଇଛନ୍ତି।
ଖବର ପାଇ ଘଟଗାଁ ଓ ଢେଙ୍କିକୋଟ ପୋଲିସ ପହଞ୍ଚି ୩ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରିଛି। ଦୁର୍ଘଟଣା ପରେ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଶହ ଗାଡି ଛିଡ଼ା ହୋଇଥିଲା। ପୋଲିସ ଗାଡ଼ି ହଟାଇ ଗାଡ଼ି ଚଳାଚଳ ସ୍ବାଭାବିକ କରିଥିଲା। ଠିକାସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ଦୈନିକ ଛୋଟ, ବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଠିକାସଂସ୍ଥା, ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।