ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ ୨ ଜଣ ପୋଲିସ ଅଫିସର ସହାୟତା କରିଥିବା ମୁଖ୍ୟ ଅଭିଯୁକ୍ତ ଝିଅଙ୍କ ବାପା ସ୍ବୀକାର କରିବା ପରେ ଘଟଣା ଏକ ନାଟକୀୟ ମୋଡ଼ ନେଇଛି।
ତଦନ୍ତକାରୀ ଅଫିସରଙ୍କ କହିବା ଅନୁଯାୟୀ ଚୌଦେଶ୍ୱରୀ ତାଙ୍କ ବାପା ଚନ୍ଦ୍ର ଶ୍ରୀନୁଙ୍କ ଇଚ୍ଛା ବିରୋଧରେ ଯାଇ ନାଗାରାଜୁଙ୍କୁ ବିବାହ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ଚନ୍ଦ୍ର ଗତ ମାସ ୧୮ରେ ଝିଅଙ୍କୁ ହତ୍ୟା କରିଥିଲେ। ସେ ଏହାକୁ ଆତ୍ମହତ୍ୟାର ରୂପ ଦେବା ଓ ବ୍ୟବଚ୍ଛେଦ ରିପୋର୍ଟରେ ଜାଲିଆତି କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ଝିଅଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ଚନ୍ଦ୍ରଙ୍କୁ ଗତ ୧ ତାରିଖରେ ଗିରଫ କରାଯାଇଥିଲା। ଜେରା ବେଳେ ସେ ଟଙ୍କା ଦେଇ ଝିଅଙ୍କୁ ଖୋଜି ବାହାର କରିବାରେ ପୋଲିସ ଅଫିସରଙ୍କ ସହାୟତା ନେଇଥିବା ସ୍ବୀକାର କରିଥିଲେ। ପୋଲିସ ଚୌଦେଶ୍ୱରୀଙ୍କୁ ଠାବ କରିବା ପରେ ମାଚେର୍ଲା ଆଣିଥିଲା। ଝିଅ ସାବାଳିକା ଏବଂ ସ୍ବାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି କହିବା ସତ୍ତ୍ୱେ ପୋଲିସ ତାଙ୍କୁ ଆଣି ମା’ବାପାଙ୍କୁ ହସ୍ତାନ୍ତର କରିଥିଲା। ହତ୍ୟାକାଣ୍ଡ ଦିନ ସମ୍ପୃକ୍ତ ପୋଲିସ ଅଫିସର ଛୁଟିରେ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଅଭିଯୁକ୍ତଙ୍କ ସମେତ ପୋଲିସ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।