ଦିଗପହଣ୍ଡି,୧୦।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ରବିବାର ସକାଳେ ଗ୍ରାମର ଭଗବାନ ମିଶ୍ର ଓ ରବୀନ୍ଦ୍ର ମିଶ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ସୋମବାର ତଦନ୍ତକାରୀ ଅଧିକାରୀ ନୂଆପଡ଼ା ଫାଣ୍ଡି ଏସଆଇ ଜଗବନ୍ଧୁ ବାର୍ଲା ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁର ସନ୍ତୋଷ ମହାରଣା (୩୦)। କେ.ନୂଆଗାଁ ଥାନା ମାମଲା ନଂ.୩୮୭/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜୁନ ୨୪ ତାରିଖରେ ଭ୍ରମରପୁର ଗ୍ରାମ ବଜାର ସାହି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଜବରଦଖଲ ହଟାଯାଇଥିଲା। କିନ୍ତୁ ଜଳଖିଆ ହୋଟେଲ କରିଥିବା ଭଗବାନ ମିଶ୍ର ପୁଣି ରାସ୍ତା ଜବରଦଖଲ କରି ଗତ ଶୁକ୍ରବାର ସିଡି ନିର୍ମାଣ କରିଥିଲେ। ଗ୍ରାମର ନାରାୟଣ ମହାରଣା ଏବଂ ତାଙ୍କ ଭାଇ ହୃଷୀକେଶ ମହାରଣା ଏହାର ପ୍ରତିବାଦ କରି ରାତି ପ୍ରାୟ ୯ ଟାରେ ଭଗବାନଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ। ଭଗବାନ ଓ ତାଙ୍କ ଭାଇ ରବୀନ୍ଦ୍ର ନାରାୟଣଙ୍କୁ ଆକ୍ରମଣ କରିଥିଲେ। ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ନାରାୟଣ ଏବଂ ତାଙ୍କ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଭଗବାନଙ୍କ ଘରେ ପଶି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଣି ରବିବାର ସକାଳ ପ୍ରାୟ ସାଢ଼େ ୧୦ ଟାରେ ଉଭୟପକ୍ଷ ଗାଁ ବଜାର ରଥଦାଣ୍ଡ ବୁଲାଣିରେ ଲୁହାପାଇପ, କାଠଫଡା,ପଥର ଖଣ୍ଡ ପ୍ରଭୃତି ଧରି ଭଗବାନ ମିଶ୍ର , ରବୀନ୍ଦ୍ର ମିଶ୍ର ଏବଂ ସନ୍ତୋଷ ମହାରଣା ପରସ୍ପରଙ୍କୁ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ଏହି ଘଟଣାରେ ଗୁରୁତର ଆହତ ରବୀନ୍ଦ୍ର ମିଶ୍ର ଓ ଭଗବାନ ମିଶ୍ରଙ୍କୁ ପ୍ରଥମେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଉଭୟେ ଚିକିତ୍ସାଧୀନ ଥିବା ଜଣାପଡିଛି। ଏନେଇ ୨ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗିରହିଛି। ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ପ୍ରଶାସନର ପାତରଅନ୍ତର ନୀତି ଯୋଗୁଁ ଗ୍ରାମରେ ଅଶାନ୍ତି ଲାଗି ରହିଛି। କିଛି ବ୍ୟକ୍ତି ପୁଣି ଥରେ ରାସ୍ତା ସମ୍ମୁଖ ସରକାରୀ ଜମିକୁ ଜବରଦଖଲ କରି ପିଣ୍ଡା ଓ ସିଡି ନିର୍ମାଣ କରିଥିବା ବେଳେ ଅନ୍ୟ କେତେକ ବ୍ୟକ୍ତି ଭଙ୍ଗା ଯାଇଥିବା ଅଂଶକୁ ପୁଣି ନିର୍ମାଣ ମରାମତି କରି ବାସଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି।