ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇ ୧୫ଟି ପରିବାର ଚଳାଉଛନ୍ତି ଦୀନେଶ। ମୁଣ୍ଡ ଝାଳ ତୁଣ୍ଡରେ ମାରି କଲେଜ ପାଠ ପଢା ଖର୍ଚ୍ଚ ବାହାର କରିବାକୁ ସଉକରେ ଦିନେ ଯେଉଁ ଚାଷୀ ଛତୁଚାଷ ଆରମ୍ଭ କରିଥିଲେ, ସେହି ଚାଷ ଆଜି ଦେଇଛି ପରିଚୟ।
ବରଗଡ଼ ଜିଲା ଅତାବିରା ବ୍ଲକ କୁଲୁଣ୍ଡା ଗାଁର ଯୁବ ଚାଷୀ ଦୀନେଶ ସାହୁ। ପ୍ରଥମେ ପାଠ ପଢା ଖର୍ଚ୍ଚ ବହନ କରିବାକୁ ୨ ଶହ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲେ। ଏବେ ଛତୁ ଚାଷ କରି ଅଞ୍ଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ବଚ୍ଛଳ କରି ୧୫ଟି ପରିବାରକୁ ରୋଜଗାରକ୍ଷମ କରିପାରିଛନ୍ତି।
ଆଜି ଦିନେଶ ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ସେ ଆଖପାଖ ଅଞ୍ଚଳରୁ ଛତୁଚାଷ ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ୨୦୦୪-୦୫ ମସିହାରେ ମାଟ୍ରିକ ପରୀକ୍ଷା ପରେ କମ୍‌ ଆକାରରେ ପଢା ଖର୍ଚ୍ଚ ବାହାର କରିବାକୁ ବିନା ଶ୍ରମିକରେ ନିଜେ କାମ କରି ଛତୁ ଚାଷ ଆରମ୍ଭ କରିଥିଲେ ଦୀନେଶ।
ଓୟୁଏଟି ଭୁବନେଶ୍ୱର ଏବଂ ଇନ୍ଦିରା ଗାନ୍ଧୀ କୃଷି ବିଦ୍ୟାଳୟ ରାୟପୁରରେ ତାଲିମ ନେବା ପରେ ସୌକରେ ଆରମ୍ଭ କରିଥିବା ଛତୁଚାଷକୁ ବ୍ୟବସାୟରେ ପରିଣତ କରିଥିଲେ l ବର୍ତ୍ତମାନ ନିଜେ ଛତୁ ବିହନ ମଧ୍ୟ ଉତ୍ପାଦନ କରୁଛନ୍ତି l ନିଜସ୍ବ ଉଦ୍ୟମରେ ସ୍ବଳ୍ପ ଛତୁଚାଷ ଆରମ୍ଭ କରିଥିଲେ। ହେଲେ ବର୍ତ୍ତମାନ ଏହି ଚାଷୀଙ୍କ ଅଢେଇ ଏକର ଫାର୍ମରେ ୨୦୦୦ରୁ ଊର୍ଦ୍ଧ୍ୱ ବେଡ ଛତୁଚାଷ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ବର୍ଷା ଏବଂ ଖରା ଦିନରେ ଦୈନିକ ୧୦୦ କିଲୋରୁ ଊର୍ଦ୍ଧ୍ୱ ପାଳ ଛତୁ ଓ ଶୀତ ଦିନରେ ପ୍ରତିଦିନ ୫୦ ରୁ ୬୦ କେଜି ଧିଙ୍ଗିରି ଛତୁ ଉତ୍ପାଦିତ ହେଉଛି। ପାଳଛତୁ, ଧିଙ୍ଗିରି ଛତୁଚାଷ ସହ ବିଭିନ୍ନ ଛତୁ ବିହନ ବିକ୍ରି କରି ଦିନେଶ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି ।
ଆଜିକାଲି ଯୁବକ ଯୁବତୀ ପାଠ ପଢି ଚାକିରି ପଛରେ ନ ଗୋଡ଼ାଇ ନିଜସ ଉଦ୍ୟମରେ ଭିନ୍ନ କିଛି କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟକୁ ରୋଜଗାରର ବାଟ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି।
ତାଙ୍କ ଫାର୍ମରୁ ଉତ୍ପାଦିତ ଛତୁ ଉନ୍ନତମାନର ରହିଥିବାରୁ ଅଞ୍ଚଳରେ ବେଶ ଚାହିଦା ରହୁଛି । ତେଣୁ ବ୍ୟବସାୟୀ ଓ ଗ୍ରାହକମାନେ ମଧ୍ୟ ଏଠାକୁ ଆସି ଛତୁ ନେଉଛନ୍ତି । ସରକାରୀସ୍ତରରେ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଛତୁଚାଷ ଆଗକୁ ଆହୁରି ବଢ଼ିପାରିବ ବୋଲି ଆଶା ରଖିଛନ୍ତି। ବାସ୍ତବରେ ଏହି ଯୁବ ଚାଷୀଙ୍କ ଭିନ୍ନ ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣାଦାୟୀ ।

 

Dharitri – Odisha’s No.1 Odia Daily