Categories: HomeHome Left

ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ହା ହୁତାଶରେ ଚାଷୀ

ରାଜକନିକା, ୨୭ା୧୦(ସଞ୍ଜୟ କୁମାର ଦାଶ): ଧାନ ବିଲରେ ସୁନା ଫସଲକୁ ଦେଖି ଚାଷୀ ଆନନ୍ଦିତ ହେଉଥିଲା। ହେଲେ ଆଇଏମ୍‌ଡି ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଘୃର୍ଣ୍ଣିବଳୟ ଆସନ୍ତା ୨୭ରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାତ୍ୟା ମୋନ୍ଥାରେ ପରିଣତ ହେବ। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଜିଲାର ରାଜକନିକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଖବର ପ୍ରଚାରିତ ହେବା ପରେ ଚାଷୀକୂଳ ହା ହୁତାସା ହୋଇପଡିଛି। ଚାଷ ଆରମ୍ଭରୁ ୩ ଥର ବନ୍ୟା ଆସି ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ହେଲେ ଚାଷୀ ଧାର କରଜ କରି ଅଣ୍ଟା ସଳଖ କରି ଚାଷ କରିଥିଲେ। ହେଲେ ସମ୍ଭାବ୍ୟ ବାତ୍ୟା ମୋନ୍ଥା ଆସୁଥିବା ଜାଣି ପାଦତଳୁ ମାଟି ଖସିଯାଇଛି। ସରକାରୀ ତଥ୍ୟ ଅନୁଯାୟୀ ରାଜକନିକା ବ୍ଲକର ୨୯ ପଞ୍ଚାୟତରେ ପାଖାପାଖି ୧୫ ହଜାର ହେକ୍ଟର ଚାଷ ଜମିରେ ଚାଷୀ ଖରଫ ଧାନ ଚାଷ ହୋଇଥିଲା। କେତେକ ଧାନଗଛରେ ଏବେ ଧାନ ଥୋଡ ବାହାରି ପାଚି ସାରିଛି। କେଉଁଠି କେଉଁଠି ଥୋଡ଼ ବାହାରି ପାଚିବା ଅପେକ୍ଷାରେ ଅଛି। ଠିକ୍‌ ଅମଳ ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇଛି। ଚାଷୀମାନଙ୍କ କହିବା କଥା, ଯଦି ବାତ୍ୟା ଆସି ବର୍ଷା ହୁଏ ତେବେ ସୁନାର ଫସଲ ନଷ୍ଟ ହୋଇ ବିଲରେ ଗଜା ହେବାର ସମ୍ଭାବନା ଅଧିକ। ଢ଼ିପ ଜମିରେ ପୂର୍ବରୁ ଚାଷ ହୋଇଥିବା ଧାନ ପାଚିବା ଅବସ୍ଥାକୁ ଆସିଥିବା ଦେଖି ବାତ୍ୟା ଭୟରେ କେହି କେହି ଚାଷୀ ଅମଳ କରି ବିଲରୁ ଖଳାକୁ ନେଉଥିବା ଦେଖିବାକୁ ମିଳିଛି। କ୍ଷତି ନ ହେବା ଆଶାରେ କେହି କେହି ଚାଷୀ ଦର ପାଚିଲା ଧାନକୁ ମଧ୍ୟ କାଟିବାରେ ବ୍ୟସ୍ତ।

Dharitri – Odisha’s No.1 Odia Daily