କେନ୍ଦ୍ରାପଡ଼ା, ୧୬ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ପ୍ରବାହ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ। ଆଗାମୀଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ ଚାଷ ପ୍ରଭାବିତ ହେବ। ଏହାଛଡ଼ା ଜିଲା କୃଷି ବିଭାଗ ପକ୍ଷରୁ ଉପତ୍ାଦନକ୍ଷମ ଓ ପାଣି ସହଣି କିସମର ଧାନ ବିହନ ଯୋଗାଣ ହୋଇପାରୁନାହିଁ। ଜିଲା ପାଇଁ ୧୫ ହଜାର କୁଇଣ୍ଟାଲ ବିହନ ଆବଶ୍ୟକ ଥିବାବେଳେ ମାତ୍ର ୨ହଜାର କୁଇଣ୍ଟାଲ ବିଭିନ୍ନ ସୋସାଇଟି ମାଧ୍ୟମରେ ବିକ୍ରୟ ହେଉଛି। ବିହନ ସମସ୍ୟା ସହିତ ଗଜା ମରୁଡିରୁ ଚାଷକୁ ବଞ୍ଚାଇବା ପାଇଁ କେନାଲରେ ଏବେଠାରୁ ପାଣି ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି।
କୃଷକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବ୍ଲକର ୧ଲକ୍ଷ ୨୪ ହଜାର ହେକ୍ଟର କ୍ଷେତରେ ଖରିଫ ଚାଷ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି। ପାରମ୍ପରିକ ବିହନ ବାଦ୍ ପ୍ରାୟ ୧୫ ହଜାର କୁଇଣ୍ଟାଲ ଆବଶ୍ୟକ। ମାତ୍ର ଜିଲାକୁ ୨ହଜାର କୁଇଣ୍ଟାଲ ବିହନ ଯୋଗାଣ ହୋଇଛି। ଅଧିକ ଅମଳକ୍ଷମ କନକ ପ୍ଲସ, ୧୦୭୫, ଧଳା ସ୍ବର୍ଣ୍ଣ, ଶାରଳା, ସାଧନା, ଖୁସିଆନି ଆଦି ବିହନ ଚାଷୀଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ସେହିପରି ଅକ୍ଷୟ ତୃତୀୟାଠାରୁ କ୍ଷେତରେ ହଳ ବେଉଷଣ ଆରମ୍ଭ କରି ଚାଷୀ ରଜ ପୂର୍ବରୁ ପାଟ ବା ତଳୁଆ ଅଞ୍ଚଳ କ୍ଷେତରେ ପାରମ୍ପରିକ ବିହନ ବୁଣିଥିଲେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚାଷୀ କ୍ଷେତରେ ଧାନ ବୁଣିଥିଲେ ମଧ୍ୟ ପ୍ରବଳ ଖରା ଯୋଗୁ ଏହି ବିହନ ଗଜା ହେବା ସମ୍ଭାବନା କମିଛି। କୃଷକ ନେତା ବିଜୟ କୁମାର ପରିଡା କହିଛନ୍ତି, ଚଳିତବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମେ ମାସ ଶେଷ ସପ୍ତାହରେ ଖରିଫ ଚାଷ ପାଇଁ କେତେଜଣ ଚାଷୀ କ୍ଷେତକୁ ପାଣି ବୋହି ଧାନ ତଳି ପକାଇଥିଲେ। ଅଦ୍ୟାବଧି ବର୍ଷା ନ ଥିବାରୁ ତଳି ଜମି ଫାଟି ଗଲାଣି। ନଦୀ ଓ କେନାଲ ବନ୍ଧ ନଷ୍ଟ ହୋଇଥିବା ସରକାରୀ ରିପୋର୍ଟ କହୁଛି। ଏସବୁର ମରାମତି ପାଇଁ ଜଳ ସମ୍ପଦ ବିଭାଗ ଆଗଭର ହେଉନାହିଁ। ବିହନ ଓ ସାର ସମସ୍ୟା ଜିଲାରେ ଲାଗିରହିଛି। କେନ୍ଦ୍ରାପଡ଼ା ବ୍ଲକ ଦେପୁରା ଗ୍ରାମର ଚାଷୀ ଜଗଦୀଶ ପତି କହିଛନ୍ତି, ଉପର ଓ ତଳୁଆ ଅଞ୍ଚଳର ପ୍ରାୟ ୧୫ ଏକର ଜମିରେ ଖରିଫ ଚାଷ ପ୍ରତିବର୍ଷ କରିଥାଏ। ଚଳିତ ବର୍ଷ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଲିଥିବା କେନାଲ ମରାମତି କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ଏହାକୁ ଆଳ କରି କେନାଲକୁ ପାଣି ଛଡ଼ା ଯାଇନାହିଁ। ସେହିପରି ମୌସୁମୀ ବର୍ଷାକୁ ପୂର୍ବାନୁମାନ କରି ଚାଷୀ ପାଟ ଅଞ୍ଚଳରେ ରଜ ପୂର୍ବରୁ ବିହନ ବୁଣାବୁଣି ସାରିଛନ୍ତି। ବର୍ଷା ଓ କେନାଲ ପାଣି ଅଭାବରୁ ଏହା ନିଶ୍ଚିତ ଭାବେ ଗଜା ମରୁଡି ହେବ। ସେହିପରି ଧାନ ରୁଆ ପାଇଁ ଏବେ ତଳି ସମସ୍ୟା ଦେଖାଦେଇଛି। ବିହନ ଯୋଗାଣ ସମ୍ପର୍କରେ କେନ୍ଦ୍ରାପଡ଼ା ବ୍ଲକ ବଗଡା କୃଷି ସମବାୟ ସମିତି (ପାକ୍ସ)ସଭାପତି ଅକ୍ଷୟ କୁମାର ପାଣି କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ପାକ୍ସ ଓ ରିଟେଲ ପଏଣ୍ଟକୁ ଚାଷୀଙ୍କ ଖରିଫ ବିହନ ଯୋଗାଣ ହୋଇଛି ବୋଲି କୁହାଯାଉଛି। ତେବେ ମାତ୍ର ଅଳ୍ପ କେତୋଟି କିସମ ବିହନ ବ୍ୟତୀତ ଅଧିକ ଅମଳକ୍ଷମ ବିହନ ଯୋଗାଣ ହୋଇନାହିଁ। ଫଳରେ ଚାଷୀ ବିହନ ପାଇଁ ବିକ୍ରୟ କେନ୍ଦ୍ରରୁ ବାରମ୍ବାର ଫେରୁଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀଙ୍କୁ ପଚାରିବାରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ବିହନ ଯୋଗାଣକୁ ତ୍ୱରାନ୍ବିତ ପାଇଁ ବିଭିନ୍ନ ପ୍ରକ୍ରିୟାକରଣ କେନ୍ଦ୍ର ଓ ବିହନ ନିଗମ ସହ ଯୋଗାଯୋଗ ଚାଲିଛି ବୋଲି ସେ କହିଛନ୍ତି।