ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବଜାର ପ୍ରାଙ୍ଗଣରେ ବୁଧବାର ଚାଷୀ ସଙ୍ଗଠନ ଜୟ କିସାନ ଆନ୍ଦୋଳନର ବ୍ଲକସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ ସମସ୍ୟା, ଧାନ ମଣ୍ଡି ବ୍ୟବସ୍ଥାରେ ମିଲର୍ସଙ୍କ ଭୂମିକା ଏବଂ ସାର କଳାବଜାର ଉପରେ ଆଲୋଚନା ହୋଇଥିଲା। ଏହି ସମସ୍ୟା ନେଇ ଆସନ୍ତା ୨୧ତାରିଖ ବ୍ଲକସ୍ତରୀୟ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସମସ୍ୟା ନେଇ ସେହିଦିନ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଟଲି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା।
ବୈଠକରେ ଚାଷୀନେତାମାନେ ଯୋଗଦେଇ କହିଥିଲେ, ଗତ ୨୦୨୨-୨୩ ଆର୍ଥିକ ବର୍ଷରୁ ବଦ୍ୟୁତ କ୍ଷେତ୍ର ଟାଟା କମ୍ପାନୀକୁ ଦେବା ପରେ କମ୍ପାନୀ ବିଭିନ୍ନ ଆଳରେ ଶୋଷଣ କରୁଛି। ଏହାର ପ୍ରତିବାଦରେ ବାରମ୍ବାର ଆନ୍ଦୋଳନ କରାଯାଉଛି। ଗତ ସାଧାରଣ ନିର୍ବାଚନରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ନିର୍ବାଚନୀ ପ୍ରଚାର ସମୟରେ ରାଜନୈତିକ ଦଳ ଗୁଡ଼ିକ ବିଦ୍ୟୁତ୍ ଛାଡ଼କୁ ନିର୍ବାଚନୀ ପ୍ରସଙ୍ଗ ରଖିଥିଲେ। କିନ୍ତୁ ଏ ଯାଏ ସରକାର କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ୩୦୦ୟୁନିଟ୍ ମାଗଣା ବିଦ୍ୟୁତ୍ ଧୂଆଁବାଣ ପାଲଟିଯାଇଛି। ସରକାର ବିଦ୍ୟୁତ କ୍ଷେତ୍ରକୁ ଘରୋଇକରଣ କରା ନଯାଇ କୃଷିକ୍ଷେତ୍ରରେ ବିଦ୍ୟୁତ ଛାଡ଼, ପ୍ରତି ପରିବାରକୁ ମାସିକ ୩୦୦ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ ବୈଠକରେ ଦାବି ହୋଇଥିଲା।
ସେହିପରି ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ବୃଦ୍ଧି ପାଇଥିଲେ ହେଁ ଅବ୍ୟବସ୍ଥିତ ମଣ୍ଡି, କଟନୀଛଟନୀ, ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ମଣ୍ଡିରେ ଦଲାଲଙ୍କ ଦୌରାତ୍ମ ଯୋଗୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିଛି ବୋଲି ଚାଷୀନେତାମାନେ କହିଥିଲେ। ଫଳରେ ଉପରୋକ୍ତ ଦାବିକୁ ନେଇ ଆନ୍ଦୋଳନ ପାଇଁ ସଙ୍ଗଠନ ନିଷ୍ପତ୍ତି ନେଇଥିବା ସୂଚନା ଦିଆଯାଇଥିଲା। ଜୟ କିସାନ ଆନ୍ଦୋଳନର ଭଟଲି ବ୍ଲକ ସମ୍ପାଦକ ମିନିଷ୍ଟର ବାରିକ ବୈଠକ ସଂଯୋଜନା କରିଥିଲେ। ସଂଗଠନର ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁଙ୍କ ସମେତ ଜନ୍ମେଜୟ ଠାକୁର, ଅକ୍ଷୟ ପ୍ରଧାନ, ହମିଦ ପ୍ରଧାନ, ଆଶିଷ ମାଝି, ବିଜୟ ପ୍ରଧାନ, ସୁମନ୍ତ ସାହୁ, କପିଳାସ ଭୋଇଙ୍କ ସମେତ ଅନେକ ଚାଷୀ ପ୍ରତିନଧି ବୈଠକରେ ଉପସ୍ଥିତ ଥିଲେ।