ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚତ୍ଛି ଟୋକନରେ ବିକ୍ରି ଧାନ ପରିମାଣ କମାଇ ଦିଆଯାଇଥିବା ବେଳେ ଧାନ ମଣ୍ଡିକୁ ନେବାର ସମୟ ଜାନୁଆରୀ ମାସ ଧାର୍ଯ୍ୟ ହୋଇଛି। ଫଳରେ ଜାଗା ଅଭାବରୁ ଚାଷୀ ଅମଳ କରିଥିବା ଧାନକୁ ରାସ୍ତା ଓ ଖଳାରେ ଗଦା କରି ରଖିଛି। ଆଉ ଚାଷୀ ଶୀତ କାକରରେ ସେହି ଧାନକୁ ଧରି କେବେ ତାର ଟୋକନ ଆସିବ ଅପେକ୍ଷାରେ ରହିଛି। ପ୍ରଶାସନ ପକ୍ଷରୁ ସମସ୍ତ ଚାଷୀଙ୍କ ଟୋକନ ଡିସେମ୍ବର ୨୦ ତାରିଖ ସୁଦ୍ଧା ପହଞ୍ଚତ୍ୟିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ତାହା ମିଛ ବୋଲି ଚାଷୀମାନେ କହିଛନ୍ତି।
ଅନ୍ୟପକ୍ଷେ ଉପଖଣ୍ଡର ୯୨ ମଣ୍ଡିରେ ଶନିବାର ସୁଦ୍ଧା ୬ଲକ୍ଷ ୫୪ହଜାର ୮୪୯ ପ୍ୟାକେଟ ଧାନ ପଡିଛି। ଉପାନ୍ତ ଅଞ୍ଚଳ ପାଇକମାଳ ବ୍ଲକର ଧାରୋଲ, ଲଖମରା, ବୁକୁରାମୁଣ୍ଡା, ଝିଟିକି ଲଖମରା ମଣ୍ଡିରେ ହଜାର ହଜାର ବସ୍ତା ଧାନ ଗଦା ହୋଇଛି। ଏହି ଉପାନ୍ତ ଅଞ୍ଚଳର ମଣ୍ଡିରୁ ଠିକ୍‌ ଭାବେ ଧାନ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପର୍ଯ୍ୟନ୍ତ ଉପଖଣ୍ଡର ୯୨ଟି ମଣ୍ଡିରେ ୮୯୮୫ ଚାଷୀଙ୍କ ୩ଲକ୍ଷ ୯୪ ହଜାର ୭୯୯ ପ୍ୟାକେଟ ଧାନ ବିକ୍ରି ହୋଇଥିବା ନିମନ୍ତ୍ରିତ ବଜାର କମିଟି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ତେବେ ଏପର୍ଯ୍ୟନ୍ତ ଅଧିକାଂଶ ଚାଷୀଙ୍କ ଟୋକନ ଆସି ନ ଥିବା ରାଜବୋଡାସମ୍ବର କୃଷକ ସଙ୍ଗଠନର ଆଇନ ପରାମର୍ଶଦାତା ଅଜିତ ଶତପଥୀ କହିଛନ୍ତି। ଚାଷୀମାନେ ବାରମ୍ବାର ପ୍ରାଥମିକ କୃଷି ସମବାୟ ସମିତିକୁ କେନ୍ଦ୍ରକୁ ଦୌଡୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।

 

Dharitri – Odisha’s No.1 Odia Daily