ପାକ୍ସ ପୁନର୍ଗଠନରୁ ଅସନ୍ତୋଷ, ଡିଆରସିଏସଙ୍କୁ ଚାଷୀ ଫେରାଦ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ) – ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ପୁନର୍ଗଠନ କରିଛନ୍ତି। ତେବେ ଏହାକୁ ନେଇ କେତେକ ସ୍ଥାନରେ ଚାଷୀମାନେ ଖୁସି ପ୍ରକଟ କରିଥିବାବେଳେ ଆଉ କେତେକ ସ୍ଥଳରେ ନୂତନ ପାକ୍ସକୁ ପୂର୍ବରୁ ରହିଥିବା ପାକ୍ସଠାରୁ ଦୂରତା ବଢିଯାଇ ଥିବା ଯୋଗୁ ଚାଷୀ ଅସନ୍ତୋଷ ପ୍ରକାଶ ପାଇଛି। ବରଗଡ଼ ଜିଲା ପେଟୁପାଲି ପଞ୍ଜୟତର ଚାଷୀମାନେ ଏଭଳି ଅସନ୍ତୁଷ୍ଟ ହୋଇ ମଙ୍ଗଳବାର ସମବାୟ ଉପନିବନ୍ଧକ(ଡିଆରସିଏସ୍) ଯୁଗଳ କିଶୋର ଦାଶଙ୍କୁ ଫେରାଦ ହୋଇଛନ୍ତି। ସେମାନଙ୍କୁ ପୂର୍ବ ପାକ୍ସରେ ଅନ୍ତର୍ଭୁକ୍ତ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ପେଟୁପାଲି ପଞ୍ଚାୟତ ପୂର୍ବରୁ ଘେଁସ ପାକ୍ସ ଅଧିନରେ ଥିଲା । ଏବେ ନୂତନ ଗଠିତ ଛୁରିଆପାଲି ପାକ୍ସରେ ଏହି ପଞ୍ଚାୟତକୁ ସାମିଲ କରାଯାଇଛି। ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଘେଁସ ପାକ୍ସକୁ ପେଟୁପାଲିଠାରୁ ମାତ୍ର ୨କି.ମି ଅଟେ। କିନ୍ତୁ ପେଟୁପାଲିଠାରୁ ଛୁରିଆପାଲିକୁ ୭କି.ମି ଦୂରତା ହେବ। ସେହିପରି ଘେଁସ ପାକ୍ସରେ ସମସ୍ତ ପ୍ରକାର ଭିତ୍ତିଭୂମି ଅଛି ।ସାର, ଋଣ, ଧାନ ବିକ୍ରି ସୁବିଧା ରହିଛି। ଅନ୍ୟପକ୍ଷରେ ଛୁରିଆପାଲି ପାକ୍ସରେ କୌଣସି ସ୍ଥାୟୀ ବ୍ୟବସ୍ଥା ନାହିଁ ବୋଲି ପେଟୁପାଲି ପଞ୍ଚାୟତ ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ସେମାନଙ୍କୁ ଛୁରିଆପାଲି ପାକ୍ସରେ ସାମିଲ ନ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସମସ୍ତ କାଗଜପତ୍ର ନିରୀକ୍ଷଣ ପରେ ଯାହା ପଞ୍ଚାୟତର ହିତରେ ହେବ, ତାହା ନିଷ୍ପତ୍ତି ନିଆଯିବ ବୋଲି ଡିଆରସିଏସ୍ କହିଛନ୍ତି। ପେଟୁପାଲି ପଞ୍ଚାୟତର ସରପଞ୍ଚ ସୁଶାନ୍ତ ଦିଶିରୀ, ସମିତି ସଭ୍ୟ କୁଞ୍ଜ ପଧାନ, ସୌକିଲାଲ ତାଣ୍ଡି, ସୁନ୍ଦରମଣୀ ଭୋଇ, ନିତ୍ୟାନନ୍ଦ ପଧାନ, ବିପିନ ନାୟକ, ଆନନ୍ଦ ରୋହିଦାସ ପ୍ରମୁଖ ଚାଷୀ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Share