ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ

ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ ୬ ମାସ ପୂରଣ କରିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ନିଷ୍ପତ୍ତି ନେଇଥିବାବେଳେ ରବିବାର ଦେଶର ୧୨ଟି ପ୍ରମୁଖ ବିରୋଧୀ ଦଳ ଏହାକୁ ସମର୍ଥନ ଜଣାଇଛନ୍ତି। ଏହି ଦଳଗୁଡ଼ିକ ହେଲେ କଂଗ୍ରେସ, ତୃଣମୂଳ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ସମାଜବାଦୀ ପାର୍ଟି, ଏନ୍‌ସିପି, ଡିଏମ୍‌କେ, ଜେଡିଏସ୍‌, ଶିବସେନା, ନ୍ୟାଶନାଲ କନ୍‌ଫରେନ୍ସ, ଜେଏମ୍‌ଏମ୍‌, ଆର୍‌ଜେଡି।
୩ କୃଷି ଆଇନ ପ୍ରତ୍ୟାହାର ଲାଗି ଗତବର୍ଷ ନଭେମ୍ବରରୁ ଦିଲ୍ଲୀ ସୀମାରେ ବିଭିନ୍ନ ରାଜ୍ୟର ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। କେନ୍ଦ୍ର ସରକାର ତୁରନ୍ତ କୃଷକ ନେତାଙ୍କ ସହ ଆଲୋଚନା କରି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ ବୋଲି ବିରୋଧୀଙ୍କ ପକ୍ଷରୁ ଜାରି ମିଳିତ ବିବୃତିରେ କୁହାଯାଇଛି। ସେଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡା, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସୀତାରାମ ୟେଚୁରୀ, ଫାରୁକ୍‌ ଅବ୍‌ଦୁଲ୍ଲା ପ୍ରମୁଖ ସ୍ବାକ୍ଷର କରିଛନ୍ତି।