ସାର ନେବାକୁ ଚାଷୀଙ୍କ ପ୍ରବଳ ଭିଡ଼, ସାର ନ ପାଇ…

କର୍ଲାମୁଣ୍ଡା,୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବା ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା ଓ ଚାଷୀମାନେ ସାର ନ ପାଇ ଅସନ୍ତୋଷ ଫେରୁଥିବା ଶୁକ୍ରବାର ଦେଖିବାକୁ ମିଳିଛି।

ସୂଚନା ମତେ ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ୍‌ ଥିବା ବେଳେ ୧୪ ଶହରୁ ଊଦ୍ଧର୍‌ବ ଚାଷୀ ସାର ନେବା ପାଇଁ ଧାଡ଼ିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ତେବେ ସମବାୟ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ସରପଞ୍ଚ ତଥା ଚାଷୀମାନଙ୍କ ଆପୋଷ ବୁଝାମଣାରେ ସାପଲହରା ପଞ୍ଚାୟତ, ରେଗଡ଼ା ପଞ୍ଚାୟତର ଚାଷୀମାନଙ୍କୁ ସାର ଦିଆଯାଉ ଥିବା ସମବାୟ ସମିତିର ସଭାପତି ଦେବରାଜ ରଣା ସୂଚନା ଦେଇଛନ୍ତି। ଠିକ୍‌ ସେହିପରି କର୍ଲାମୁଣ୍ଡା ସାର ଗୋଦାମଠାରେ ଏକ ହଜାର ସାର ବସ୍ତାକୁ ନେବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷୀ ଲମ୍ବାଧାଡ଼ିରେ ଅପେକ୍ଷାରେ ଥିଲେ ସୁଦ୍ଧା ଚାଷୀ ସାର ପାଇ ପାରି ନ ଥିବା ଚାଷୀ ସୈଲ୍ୟ ରଥି ସାହୁ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂଙ୍କୁ ପଚାରିବାରୁ ଜିଲା ପ୍ରଶାସନ ସହିତ ଆଲୋଚନା ସରିଛି, ଯଥାଶୀଘ୍ର ଆହୁରି ସାର ଆସିବ ବୋଲି କହିବା ସହ ଚାଷୀ ଅଧିକ ରହୁଛନ୍ତି ଓ ପର୍ଯ୍ୟାୟ କ୍ରମେ ସାର ଆସୁଛି, ଏଣୁ ସବୁ ଚାଷୀଙ୍କୁ ଏକା ସଙ୍ଗେ ୟୁରିଆ ସାର ଯୋଗାଇବାକୁ ମୁସ୍କିଲ ହେଉଛି ବୋଲି କହିଛନ୍ତି। ଖବର ଲେଖା ପର୍ଯ୍ୟନ୍ତ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ, କୃଷି ବିଭାଗର କର୍ମଚାରୀମାନଙ୍କ ଉପସ୍ଥିତରେ ଚାଷୀମାନଙ୍କୁ ଧାଡ଼ିରେ ରଖି ଆଧାର କାର୍ଡ ପ୍ରତି ଏକ ବସ୍ତା ୟୁରିଆ ସାର ଦିଆଯାଉଥିବା ଚାଷୀ ନେତା ନନ୍ଦକିଶୋର ଭୋଇ କହିଛନ୍ତି।