ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ

ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ, ବରୁ ଭୃଙ୍ଗରାଜପଶି, ଚେମଣା, ଚିଲିଦା, ବଳିଆପଶି, ରେଙ୍ଗାଲବେଡ଼ା, ଅଙ୍ଗିକଳା, ଧନୁର୍ଜୟପୁର, ବରଡ଼ାଙ୍ଗୁଆ, ଗୋଡିପୋଖରୀ ଗ୍ରାମର ର ହଜାର ହଜାର ସଂଖ୍ୟାରେ ଚାଷୀ, ମହିଳା, ଛାତ୍ର, ଯୁବକ ସାମିଲ ହୋଇଥିଲେ। ବରିଷ୍ଠ କୃଷକ ନେତା ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଲ୍‌ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ଯୋଗ ଦେଇ ଜିନ୍ଦଲ ସହ ହୋଇଥିବା ଏମ୍‌.ଓ.ୟୁ ବାତିଲ କରିବା, ଚାଷଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ କରିବା, ସରକାରୀ ଉଦ୍ୟୋଗରେ ଶିଳ୍ପ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ପୁରୁଷ ପୁରୁଷ ଧରି ଦଖଲ କରି ଆସୁଥିବା ଚାଷ ଉପଯୋଗୀ ଓ ବାସପଯୋଗୀ ଜମିକୁ ଦଖଲଦାରମାନଙ୍କୁ ପଟ୍ଟା ନ ଦେଇ ସରକାର କମ୍ପାନୀ ପ୍ରତିଷ୍ଠା କରୁଥିବା ହୀନ ପ୍ରୟାସ କରୁଛନ୍ତି ବୋଲି ଶ୍ରୀଦାସ କହିଥିଲେ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ନାଏକ, ସରୋଜ କୁମାର ସିଂହ, ରବୀନ୍ଦ୍ର କୁମାର ମହାନ୍ତ, ପ୍ରକାଶ ମଲ୍ଲିକ, ବେଣୁଧର ସର୍ଦ୍ଦାର, ମଞ୍ଜୁଲତା ମହାନ୍ତ, ଗୁରୁବାରୀ ସର୍ଦ୍ଦାର, ଲିପିବାଳା ନାଏକ ଓ ଲକ୍ଷ୍ମୀପ୍ରିୟା ମହାନ୍ତ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଜିନ୍ଦଲ କମ୍ପାନୀ ନ ହଟିବା ଯାଏ ସଂଘର୍ଷ ଜାରି ରଖିବୁ ବୋଲି ସଂକଳ୍ପ କରିଛନ୍ତି। ଏହି ସଭାରେ ଜିନ୍ଦଲ ପ୍ରତିରୋଧ ମଞ୍ଚ ଗଠନ କରାଯାଇଛି। ମଞ୍ଚର କର୍ମକର୍ତ୍ତା ଭାବେ କମ୍ରେଡ୍‌ ରଘୁନାଥ ଦାସ ଉପଦେଷ୍ଟା, ଘନଶ୍ୟାମ ମହାନ୍ତ ସଭାପତି, ଉପସଭାପତି ଭାବେ ଅଚ୍ୟୁତାନନ୍ଦ ନାଏକ, ସରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବୀନ୍ଦ୍ର କୁମାର ମହାନ୍ତ ନିର୍ବାଚିତ ହୋଇଥିବାବେଳେ ବେଣୁଧର ସର୍ଦ୍ଦାର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।