ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ସମତା ଭବନରେ ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁରେ ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହେଉଛନ୍ତି ଏବଂ ଠିକ ଚାଷବାସ ସମୟରେ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ ଆଦୌ ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଥିଲା। ଏହି ବ୍ୟବସ୍ଥାରେ ଅର୍ଦ୍ଧାଧିକ ଚାଷୀଧାନ ପଞ୍ଜୀକରଣ କରିବାରୁ ବଞ୍ଚିତ ହେବେ ଏବଂ ଏହି ବ୍ୟବସ୍ଥାର ସରଳୀକରଣ ନାମରେ ସରପଞ୍ଚ, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଏହାର ଦାୟିତ୍ୱ ଦିଆଯିବା ସରକାରଙ୍କ ଏକ ଖାମଖିଆଲ ମନୋଭାବ ବୋଲି ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏହି ନୂତନ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଅତି ଶୀଘ୍ର ପ୍ରତ୍ୟାହାର କରି ଏକ ସରଳ ଓ ଚାଷୀ ଅଭିମୁଖୀ ବ୍ୟବସ୍ଥା ଲାଗୁ କରିବା ଏବଂ ସମୟସୀମା ବୃଦ୍ଧି ଦାବିକୁ ନେଇ ଆସନ୍ତା ୧୨ ତାରିଖ ଦିନ ବରଗଡ଼ ଜିଲାପାଳ କାର୍ଯ୍ୟାଳୟରେ ଏକ କୃଷକ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜମି ସ୍ବତ୍ୱ ପରିବର୍ତ୍ତନ ନ କରିବା ଯାଏ ଏପରି ଜଟିଳ ଏବଂ କେନ୍ଦ୍ରୀକରଣ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରି ଚାଷୀଙ୍କୁ ନକଲି ଚାଷୀ କହି ବିଦ୍ରୂପ କରୁଛନ୍ତି ବୋଲି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହି ବ୍ୟବସ୍ଥା ବିରୋଧରେ ଚାଷୀମାନେ ଏକଜୁଟ ହୋଇ ଲଢେଇ ପାଇଁ ସଜାଗ ହେବାକୁ ଆହ୍ବାନ ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ସାଧାରଣ ସମ୍ପାଦକ ହର ବଣିଆଁ, ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ, ପାଇକମାଳ ବ୍ଲକ ସଭାପତି ବିଶ୍ବନାଥ ରଣା, ଅତାବିରା ବ୍ଲକ ସଭାପତି ଭଞ୍ଜନ ବାରିକ୍, ପଦ୍ମପୁରର ବ୍ଲକରୁ ଗୋପବନ୍ଧୁ ସିକ୍କା, ବରପାଲି ବ୍ଲକରୁ ଚଞ୍ଚଳ ପ୍ରଧାନ, ଗତିକୃଷ୍ଣ ପ୍ରଧାନ, ଭଟଲି ବ୍ଲକରୁ ଅକ୍ଷୟ ପ୍ରଧାନ, ସୋହେଲା ବ୍ଲକରୁ ତପୋବନ୍ତ ନାୟକ, ଅଶ୍ବିନୀ ପ୍ରଧାନ, ବରଗଡ଼ ବ୍ଲକରୁ ଅରୁଣ କୁମାର ସାହୁ, କୁନା ବେହେରା, ଅରୁଣ ପ୍ରଧାନ ଏବଂ କିଶୋର ସାହୁ ବୈଠକରେ ଯୋଗଦେଇଥିଲେ।