ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଏଠାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ତେବେ ଧାନଚାଷ କରୁଥିବା ଚାଷୀଙ୍କ ଦୁର୍ଦ୍ଦଶା ଏଠାରେ ଥମି ନାହିଁ। ମଣ୍ଡିରେ ଧାନ ଉଠୁ ନ ଥିବା ସାଧାରଣରେ ପରିଣତ ହୋଇଛି। ମାତ୍ର ବିକ୍ରି ଅପେକ୍ଷାରେ ମଣ୍ଡିରେ ରହିଥିବା ଧାନ ଚୋରି ହେବା ସମସ୍ତଙ୍କୁ ଚକିତ କରି ପକାଇଛି। ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ଧାନ କ୍ରୟକେନ୍ଦ୍ର(ମଣ୍ଡି)ରେ ଏଭଳି ସ୍ଥିତି ଉପୁଜିଛି। ଉକ୍ତ ମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଥିବା ଧାନ ଚୋରି ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ମଙ୍ଗଳବାର ସମ୍ପୃକ୍ତ ମଣ୍ଡି ଉପରେ ନିର୍ଭରଶୀଳ ଚାଷୀମାନେ ବରଗଡ଼ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ସ୍ମାରକପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି, ତୁଲଣ୍ଡି ମଣ୍ଡିରେ ବିକ୍ରି ଅପେକ୍ଷାରେ ବର୍ତ୍ତମାନ ସୁଦ୍ଧା ୨ହଜାର ପକେଟ୍ ଧାନ ପଡ଼ି ରହିଛି। ବିଭିନ୍ନ ଆଳ ଦେଖାଇ ଧାନକ୍ରୟ ସଂସ୍ଥା ଏବଂ ମଣ୍ଡି କର୍ତ୍ତୃପକ୍ଷ ଧାନ ଉଠାଉ ନାହାନ୍ତି। ଅନ୍ୟପଟେ ଉକ୍ତ ମଣ୍ଡିରେ ବିକ୍ରି ଅପେକ୍ଷାରେ ରହିଥିବା ଅଞ୍ଚଳର ଚାଷୀ ଅମର ପ୍ରଧାନଙ୍କ ସମୁଦାୟ ଧାନ ମଧ୍ୟରୁ ୯ପକେଟ୍ ଧାନ ଚୋରି ହୋଇଥିବା ସେ ଅଭିଯାଗ କରିଛନ୍ତି। ଉକ୍ତ ମଣ୍ଡିରେ ଧାନ ସୁରକ୍ଷା ନେଇ କୌଣସି ସୁବ୍ୟବସ୍ଥା ନ ଥିବା ଯୋଗୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି। ଫଳରେ ଏ ଦିଗରେ ତ୍ୱରିତ୍ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ବନବସ ସାହୁ, ଗଙ୍ଗାଧର ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।