ଦିଗପହଣ୍ଡି,୧୭।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ମଣ୍ଡି ଜରିଆରେ ଧାନ କ୍ରୟ ସମୟରେ କ୍ଵିଣ୍ଟାଲ ପ୍ରତି ୫ କେଜି ଧାନ କଟନି – ଛଟନି କୁ ନେଇ ଚାଲିଥିବା ବାଦ ବିବାଦ ସମାଧାନ ହୋଇଛି। ଶନିବାର ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ୱର ରାୟ, ବ୍ରହ୍ମପୁର ସମବାୟ ସହକାରୀ ନିବନ୍ଧକ ଦେବାଶିଷ ସ୍ବାଇଁ, ସମବାୟ ସଭାପତି ରାମକୃଷ୍ଣ ଚୌଧୁରୀ, ଭାରପ୍ରାପ୍ତ ସମବାୟ ସମ୍ପାଦକ ଅଶୋକ କୁମାର ପ୍ରଧାନ, ବ୍ଲକ ସମବାୟ ଅଧିକାରୀ ଚାନ୍ଦିନୀ ସେଠୀ, ମିଲର ଗୌରାଙ୍ଗ ସାହୁ, କୈଳାସ ଚନ୍ଦ୍ର ପଣ୍ଡା,ଗୋପୀଚାନ୍ଦ ପଣ୍ଡା, କୃଷ୍ଣଚନ୍ଦ୍ର ରଥ,ବଜାର ନିୟନ୍ତ୍ରଣ କମିଟି କାର୍ଯ୍ୟାଳୟ ଅଧିକାରୀ ଦୀପକ କୁମାର ଜେନା,ସଂଗ୍ରାମଜିତ୍ ପାଳ ପ୍ରମୁଖଙ୍କ ଉପସ୍ଥିତିରେ ୫ ଚାଷୀଙ୍କ ଠାରୁ ୧୫୫ କ୍ଵିଣ୍ଟାଲ ୪୪ କେଜି ଧାନ କ୍ରୟ କରାଯାଇଛି ।
ଗତ ଶୁକ୍ରବାର ସନ୍ଧ୍ୟାରେ ତହସିଲଦାର, ବ୍ଲକ ମାର୍କେଟିଂ ଇନ୍ସପେକ୍ଟର,ସମବାୟ ସମ୍ପାଦିକା ରୋଜାଲିନ ରେଡ୍ଡୀ,ସରପଞ୍ଚ ଲିଙ୍ଗରାଜ ଦୋରା,ସମବାୟ ସଭାପତି ରାମକୃଷ୍ଣ ଚୌଧୁରୀ ସମବାୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ମଣ୍ଡି ରେ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ କରାଯିବା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ଚାଲିଥିବା ବେଳେ ବି. ତୁରୁବୁଡ଼ି ଗ୍ରାମର କିଛି ଅଣଚାଷୀ ସେଠାରେ ପହଞ୍ଚି ପାଟି ତୁଣ୍ଡ କରିଥିଲେ। ସରପଞ୍ଚ ବାହାରକୁ ଆସି ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ଠେଲା ପେଲା କରି ମାଡ଼ ମାରିବାରୁ ସେ ସେଠାରୁ ଚାଲିଯାଇଥିଲେ।
ପ୍ରକାଶ ଯେ, ସମବାୟ କାର୍ଯ୍ୟାଳୟରେ ଥିବା ଧାନମଣ୍ଡି ରେ କିଛିଦିନ ହେଲା କେତେକ ବ୍ୟକ୍ତି ପଶି ଆସି ସମବାୟ ସମ୍ପାଦିକା ରୋଜାଲିନ ରେଡ୍ଡୀଙ୍କୁ ଗାଳି କରି ଧମକ ଦେବାରୁ ସେ ଶନିବାରଠାରୁ ଲମ୍ବା ଛୁଟିରେ ଚାଲିଯାଇଛନ୍ତି।