ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହେଉଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ, ସାର, ଔଷଧ, ସ୍ପ୍ରେ ମେଶିନ, କୃଷି ଯନ୍ତ୍ରପାତି ଯୋଗାଇ ଦେବାକୁ ବିପୁଳ ଅର୍ଥ ବ୍ୟୟବରାଦ ରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀଙ୍କୁ ସରକାରୀ ରିହାତି ଦରରେ ସାର, ଔଷଧ ମିଳୁନି ବୋଲି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଖରିଫ ଋତୁରେ ଚାଷୀମାନେ ସରକାରୀ ସାର ନ ଥିବାରୁ ବାଧ୍ୟ ହୋଇ ଖୋଲା ବଜାରରୁ ବିଭିନ୍ନ କିସମ ସାର ଚଢ଼ାଦରରେ କିଣୁଛନ୍ତି। ଗ୍ରୋମର ୧୯୦୦ରୁ ୨୦୦୦ ଟଙ୍କା, ଡିଏପି ୧୬୦୦, ୟୁରିଆ ପ୍ୟାକେଟ ପିଛା ୫୦୦ରୁ ୬୦୦ ଟଙ୍କା ଦେଇ କିଣୁଥିବା ଦେଖିବାକୁ ମିଳୁଛି। ତେବେ କୃଷି ବିଭାଗ ଉପରିସ୍ଥ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି ବୋଲି ହରି ଗୋଚ୍ଛାୟତ, ପାଣ୍ଡବ ବେହେରା, ସଦାଶିବ ରାଉତ, ବାବାଜି ସେଠୀ, ଜଗବନ୍ଧୁ ରାଉତ, ଶିଶିର ସ୍ବାଇଁ ପ୍ରମୁଖ ଅଭିଯୋଗ କରିଛନ୍ତି। କୃଷି ବିଭାଗ ଅଧିକାରୀମାନେ ସମ୍ପୃକ୍ତ ଚାଷୀମାନଙ୍କ ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି।
ମହାକାଳପଡ଼ା ବ୍ଲକରେ ୨୮ ହଜାର ହେକ୍ଟର ଜମିରେ ଖରିଫ ଧାନଚାଷ ସହିତ ଅନ୍ୟ ଫସଲ ଅମଳ ହେଉଛି। ସେଥିମଧ୍ୟରୁ ୭ ହଜାର ହେକ୍ଟର ଜମିରେ ଜଳସେଚନ ସୁବିଧା ରହିଛି। ହେଲେ ଚାଷଜମି ଶେଷମୁଣ୍ଡରେ କେନାଲ ଜଳ ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ କହିଛନ୍ତି। ଏବେ ଲଘୁଚାପ ବର୍ଷା ଯୋଗୁ ଉଚ୍ଚ ଓ ଖାଲୁଆ ଜମିରେ ପାଣି ରହିଛି। ବର୍ଷା ଛାଡ଼ିବା ପରେ ସାର କେଉଁଠୁ ଆଣି ଜମିରେ ପକାଇବେ ବୋଲି ଚାଷୀମାନଙ୍କୁ ଚିନ୍ତା ଘାରିଛି। ଏ ନେଇ ସାଧନ ମଣ୍ଡଳ, ପରିତୋଷ ମଣ୍ଡଳ, କୃଷ୍ଣପଦ ଗାୟନ, ଲକ୍ଷ୍ମଣ ଗିରି, ବ୍ରଜବନ୍ଧୁ ସାହୁ, ସନ୍ନ୍ୟାସୀ ବିଶ୍ୱାସ ପ୍ରମୁଖ ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ଚାଷୀମାନଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀମାନଙ୍କ ସହ ଚାଷୀ ସଙ୍ଗଠନ ଜିଲା ସଭାପତି ଅଙ୍କୁର ପଲାଇ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ଅତିରିକ୍ତ କୃଷି ଅଧିକାରୀ ମୃତ୍ୟୁଞ୍ଜୟ ଦାସଙ୍କୁ ପଚାରିବାରେ ଅଦ୍ୟାବଧି ସାର ଆମଦାନୀ କମ୍ ରହିଛି। ବିଭାଗ ପକ୍ଷରୁ ସାର ସଙ୍କଟକୁ ଦୂର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିପ୍ରତି ବିଭାଗ ଯତ୍ନବାନ ଅଛି ବୋଲି ସେ କହିଛନ୍ତି।