ସାର ପାଇଁ ତେଜିଲା ଚାଷୀ ଆନ୍ଦୋଳନ

ଦିଗପହଣ୍ଡି,୨୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାରର ଅଭାବ ଦେଖାଦେଇଛି। ଏନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଚାଷୀମାନେ ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟ ରଘୁନନ୍ଦନ ଟ୍ରେଡ଼ର୍ସ ଘରୋଇ ଡିଲରଙ୍କ ଗୋଦାମ ସମ୍ମୁଖରେ ତୁରନ୍ତ ୟୁରିଆ ସାର ଯୋଗାଇ ଦେବାକୁ ଦାବି ଗୁରୁବାର ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ।

ଘରୋଇ ଡିଲର ୟୁରିଆ ସାର ବିକ୍ରୀ କରୁଥିବା ଖବର ପ୍ରଚାରିତ ହେବା ପରେ ଗୁରୁବାର ଭୋରରୁ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ଚାଷୀ ଡିଲରଙ୍କ ଗୋଦାମ ସମ୍ମୁଖରେ ପହଞ୍ଚି ଥିଲେ। ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପାଇଥିଲା। ଖବର ପାଇ ଥାନା ଭାରପ୍ରାପ୍ତ ଆଇଆଇସି ସଦଳବଳେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଚାଷୀଙ୍କୁ ଧାଡ଼ି କରି ସାର ନେବାକୁ ପରାମର୍ଶ ଦେଇଥିଲେ।

ପ୍ରାୟ ୨ ଶହ ମିଟର ଯାଏ ଖରାରେ ଚାଷୀ ସାର ନେବାପାଇଁ ଧାଡ଼ିରେ ଠିଆ ହୋଇଥିଲେ। ତହସିଲଦାର, ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ କୃଷିବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀଙ୍କୁ ସାର ବଣ୍ଟନ କରାଯାଇଥିଲା।

ହେଲେ ଅପରାହ୍ନରେ ସାର ସରିଯାଇଥିବା ପ୍ରଚାରିତ ହେବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବରୁ ଆମକୁ କାହିଁକି କୁହାଗଲା ନାହିଁ କହି ବହୁ ସଂଖ୍ୟକ ଚାଷୀ ବର୍ଷା ସତ୍ତ୍ବେ ରାସ୍ତା ଅବରୋଧ କରିଥିଲେ। ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ, ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶନିବାର ଚାଷୀଙ୍କୁ ପୁଣି ସାର ବିକ୍ରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

ରଘୁନନ୍ଦନ ଟ୍ରେଡ଼ର୍ସର ମାଲିକ ରଘୁନନ୍ଦନ ନାୟକଙ୍କୁ ପଚାରିବାରୁ ଗତ ଅଗଷ୍ଟ ମାସ ସୁଦ୍ଧା ୨୦ ଟ୍ରକ ୟୁରିଆ ୪୫୦୦ ପ୍ୟାକେଟ ୟୁରିଆ ସାର ଆସିବା ପରେ ଚାଷୀଙ୍କୁ ବିକ୍ରି କରାଯାଇଥିଲା। ବୁଧବାର ୧୧୨୫ ବସ୍ତା ୟୁରିଆ ସାର ଆସିଥିଲା। ଗୁରୁବାର ଅପରାହ୍ନ ସୁଦ୍ଧା ୯୯୦ ବସ୍ତା ସାର ଚାଷୀଙ୍କୁ ବିକ୍ରି କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷେ କିଛି ନିର୍ଦ୍ଦିଷ୍ଟ ଯୁବକ ବାରମ୍ବାର ସାର ନେବାକୁ ପହଞ୍ଚି ପାଟିତୁଣ୍ଡ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସାର ବିକ୍ରି ବନ୍ଦ କରାଯାଇଥିଲା। ୧୩୫ ବସ୍ତା ଗୋଦାମରେ ମହଜୁଦ ଅଛି। ଦିନେ ଦୁଇଦିନ ମଧ୍ୟରେ ପୁଣି ସାର ଆସିଲେ ଚାଷୀଙ୍କୁ ବିକ୍ରି କରାଯିବ ବୋଲି ପ୍ରଶାସନର ପକ୍ଷରୁ କହିଛନ୍ତି।