ବରଗଡ,୧୦।୪(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ଦିନିକିଆ ବରଗଡ ଗସ୍ତରେ ଆସି ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ନୂତନ କାର୍ଯ୍ୟାଳୟ ଏବଂ ଅତାବିରା, ଗୋଡଭଗାଠାରେ ନବ ନିର୍ମିତ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ କମ୍ପ୍ଲେକ୍ସକୁ ଉଦଘାଟନ କରିବା ସହ ସର୍ବମୋଟ ମୋଟ ୮୮ କୋଟି ୭୨ଲକ୍ଷ ୫୧ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ମନ୍ତ୍ରୀ ବଳସାମନ୍ତ ପ୍ରଥମେ ବାଲିଜୁରି ବଜାର ପରିଭ୍ରମଣ କରି ସ୍ଥାନୀୟ ବୁଣାକାରଙ୍କ ନିମିତ୍ତ ପୂର୍ବରୁ ନିର୍ମାଣ ହୋଇ ଖାଲି ପଡି ରହିଥିବା ମାର୍କେଟ କମ୍ପ୍ଲେକ୍ସର ତଦାରଖ କରିବା ପରେ ବେହେରା ମାର୍କେଟ ପରିଦର୍ଶନ କରି ସେଠାରେ ସମସ୍ତ ସୁବିଧା ଯୋଗାଇ ତାହାର ପୁନରୁଦ୍ଧାର ନିମନ୍ତେ ସ୍ଥାନୀୟ ବୁଣାକାର ଏବଂ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବରଗଡସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗ ଘର ଏବଂ କାର୍ଯ୍ୟାଳୟ ପରିଦର୍ଶନ କରି ସମଲପୁରୀ କପଡା ପ୍ରସ୍ତୁତି ଏବଂ ବିକ୍ରି ପ୍ରକ୍ରିୟାର ତଦାରଖ କରିବାପରେ କୃତାର୍ଥ ଆଚାର୍ଯ୍ୟ ସମବାୟ ପରିଚାଳନା କେନ୍ଦ୍ରଠାରେ ଆୟୋଜିତ ହେଉଥିବା ଜିଲାସ୍ତରୀୟ ସମବାୟ ସଭ୍ୟ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ। ରାଜ୍ୟ ସରକାର ସମବାୟ ବିଭାଗ ମାଧ୍ୟମରେ ଯୋଗାଇ ଦେଉଥିବା ସମସ୍ତ ସୁବିଧା ବିଷୟରେ ସୂଚନା ପ୍ରଦାନ କରିବା ପରେ ସମବାୟ ଆନ୍ଦୋଳନ ଜରିଆରେ ବିକଶିତ ଗାଁ ବିକଶିତ ଓଡିଶା ତଥା ବିକଶିତ ଭାରତ ଗଠନ କରିବାକୁ ଆହାନ ଦେଇଥିଲେ।