ରବିଚାଷ ପାଇଁ ଅନିଶ୍ଚିତତାରେ ଚାଷୀ: ଉଠାଜଳସେଚନ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ଅଭିଯୋଗ

ଲୋଇସିଂହା,୩ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଯୋଗୀସର୍ଡା ଗ୍ରାମର ଚାଷୀ ଅରବିନ୍ଦ ମିଶ୍ର। ତାଙ୍କ ଚାଷଜମିରେ ଉଠାଜଳସେଚନ ବିଭାଗ ପକ୍ଷରୁ ଏକ ବୋରିଂ ଖୋଳାଯିବା ସହିତ ପାଣି ଲେବୁଲ ପରୀକ୍ଷଣ କରାଯାଇଛି। ଇତିମଧ୍ୟରେ ୯ ମାସ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗୀକରଣ କରାଯାଇନାହିଁ। ବିଭାଗୀୟ ଅବହେଳାରୁ ସମ୍ପୃକ୍ତ ଚାଷୀ ଖରିଫ ଚାଷ ଅମଳ ପରେ ରବି ଚାଷ କରିବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।
ବାଦୀବାହାଲ ପଞ୍ଚାୟତ ଅଧୀନ ଭାଲୁପାଲି ମୌଜାରେ ଅରବିନ୍ଦଙ୍କର ୫ ଏକର ଚାଷଜମି ରହିଛି ା ଉଠାଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ୨୦୨୦-୨୧ ଆର୍ଥିକ ବର୍ଷରେ ଅରବିନ୍ଦଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ୪ ଜଣ ଚାଷୀ ବୋରିଂ ଖୋଳିବା ପାଇଁ ଆବେଦନ କରି ଆବଶ୍ୟକ ଟଙ୍କା ପଇଠ କରିଥିଲେ। ଆବେଦନର ୪ ବର୍ଷ ପରେ ୨୦୨୫ ମାର୍ଚ୍ଚ ୨୨ରେ ଅରବିନ୍ଦଙ୍କ ଜମିରେ ବୋରିଂ ଖନନ କରାଯାଇଥିଲା। ଏହାର ଗୋଟିଏ ସପ୍ତାହ ଅର୍ଥାତ୍‌ ମାର୍ଚ୍ଚ ୩୧ରେ ପ୍ରକଳ୍ପର ପାଣି ପରୀକ୍ଷଣ କରାଯାଇଥିଲା। ସେତେବଳେ ପରୀକ୍ଷଣ ସଫଳ ହୋଇଥିଲା। ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗୀକରଣ ପାଇଁ ଅରବିନ୍ଦ ବିଭାଗୀୟ ଅଧିକାରୀଙ୍କୁ ଅନେକଥର ଭେଟି ଅବଗତ କରିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାଙ୍କ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗୀକରଣ ହୋଇପାରିନାହିଁ। ରବି ଚାଷ ପାଇଁ ଚାଷୀ ପ୍ରସ୍ତୁତ ହେଲେଣି। ହେଲେ ଅରବିନ୍ଦଙ୍କ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗୀକରଣ କରାଯାଇ ନ ଥିବାରୁ ସେ ରବି ଚାଷ ପାଇଁ ଅନିଶ୍ଚିତତାରେ ରହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଭାବଗ୍ରାହୀ ନାଏକ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଅରବିନ୍ଦଙ୍କ ଦ୍ୱିୟୀତ ପର୍ଯ୍ୟାରେ ବୋରିଂ ଖୋଳାଯାଇଥିଲା। ଏଷ୍ଟିମେଟ୍‌ ମାଗିଛି, ଦେଲା ପରେ ତାଙ୍କ ପ୍ରକଳ୍ପରେ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ନାଏକ କହିଛନ୍ତି।

 

Dharitri – Odisha’s No.1 Odia Daily