ଟେନ୍‌ସନ୍‌ରେ ଚାଷୀ: ଟୋକନ ଅବଧି ସରିଯିବାର ଆଶଙ୍କା

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ ଶୁକ୍ରବାରରୁ ପୁଣି ଧାନ ଉଠାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ଏବେ ମଧ୍ୟ ମଣ୍ଡିରୁ ଧାନ ଉଠାଣରେ ଆଶାନୁରୂପ ତପତ୍ରତା ପରିଲକ୍ଷିତ ହୋଇ ନାହିଁ। ଧାନ ଉଠାଣ ଏବେ ମଧ୍ୟ ମନ୍ଥର ଗତିରେ ଚାଲିଛି। ବିଭିନ୍ନ ମଣ୍ଡିର ସ୍ଥିତିରୁ ମଧ୍ୟ ତାହା ବାରି ହୋଇ ପଡୁଛି। ଧାନ ଉଠାଣରେ ଏଭଳି ମନ୍ଥରତା ଯୋଗୁ ସେମାନେ ବହୁବିଧ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି।
ଜିଲାରେ ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧିନରେ ୨୩୦ଟି ମଣ୍ଡି ଏଥର ଖୋଲାଯାଇଛି। ଗତବର୍ଷ ନଭେମ୍ବର ୧୮ତାରିଖରୁ ଏହି ମଣ୍ଡି ଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଛି। ମାତ୍ର ଆରମ୍ଭରୁ ବିଭିନ୍ନ ଅବ୍ୟବସ୍ଥା ଯୋଗୁ ଠିକ୍‌ଭାବେ ଧାନ ବିକ୍ରି ହୋଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେତେବେଳେ ମିଲର୍ସଙ୍କ ଆନ୍ଦୋଳନ ତ ଆଉକେବେ ଟୋକନ ସମସ୍ୟାରୁ ଚାଷୀଙ୍କ ଧାନବିକ୍ରି ବିଳମ୍ବ ହେଉଛି। ସେହିପରି ଧାନ ଉଠାଣରେ ପୂର୍ବଭଳି ମିଲର୍ସଙ୍କୁ ଆଲଟମେଣ୍ଟ ଦିଆ ନଯାଇ ଦିନିକିଆ କମ୍‌ ପରିମାଣର ଆଲଟମେଣ୍ଟ ଦିଆଯିବା ମଧ୍ୟ ସମସ୍ୟା ସୃଷ୍ଟି କରୁଛି ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି।
ସେହିପରି ବର୍ତ୍ତମାନ ଯେଭଳି ଢଙ୍ଗରେ ଧାନ ଉଠାଣ ଚାଲିଛି, ଯଦି ଆଗକୁ ମଧ୍ୟ ସେହି ଧାରା ଜାରି ରହେ, ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବାର ଆଶଙ୍କା ରହିଛି। ଗୁରୁବାର ସୁଦ୍ଧା ଅତାବିରା ଆରଏମସି ଅଧୀନରେ ରହିଥିବା ମଣ୍ଡି ଗୁଡ଼ିକୁ ୩୨ଲକ୍ଷ ୫୬ହଜାର ପକେଟ୍‌ ଧାନ ଆସିଥିବା ବେଳେ ୨୮ଲକ୍ଷ ୭୮ହଜାର ପକେଟ୍‌ ଧାନ ଉଠି ସାରିଥିବା ଆର୍‌ଏମ୍‌ସି ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ଗୁରୁବାର ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକୁ ୮୯ହଜାର ୫୦୯ପକେଟ୍‌ ଧାନ ଆସିଥିବା ବେଳେ ୯୬ହଜାର ୭୮୪ପକେଟ୍‌ ଧାନ ଉଠିଥିବା ଜଣାପଡ଼ିଛି। ସେହିପରି ବରଗଡ଼ ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକୁ ଗୁରୁବାର ୭୩୮୫ ପକେଟ୍‌ ଧାନ ଆସି ଥିବାବେଳେ ୪୮୮୬ ପକେଟ୍‌ ଧାନ ଉଠିଥିବା ଆର୍‌ଏମ୍‌ସି ସମ୍ପାଦକ ଗୋବିନ୍ଦ ନାଗ କହିଛନ୍ତି।

 

Dharitri – Odisha’s No.1 Odia Daily