ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟିଲେ ଚାଷୀ

ଚଣ୍ଡିଗଡ଼,୨୮।୪:ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ସୀମାନ୍ତ ଜମିରୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ ଶେଷ କରିବାକୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଅଧିକାରୀମାନେ ପଞ୍ଜାବ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ଯୁଦ୍ଧ ଆଶାଙ୍କା କରି ଏଲଓସି ସୀମାନ୍ତ ଅଞ୍ଚଳରେ ଆଗୁଆ ଫସଲ କାଟି ନେଉଛନ୍ତି ଚାଷୀ।

୪୮ ଘଣ୍ଟା ମଧ୍ୟରେ ଗହମ ଫସଲ ଅମଳ କରି ଜମିରୁ ନେଇଯିବା ପାଇଁ ଅମୃତସର, ତର୍ନତରନ, ଫିରୋଜପୁର ଏବଂ ଫାଜିଲ୍‌କା ଜିଲାର ଚାଷୀମାନଙ୍କୁ ଗ୍ରାମ ଗୁରୁଦ୍ୱାରାଗୁଡ଼ିକ ଜରିଆରେ ଘୋଷଣା କରାଯାଇଥିବା ଅଭିଯୋଗ ହୋଇଛି। ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ଆଗୁଆ ଅଞ୍ଚଳଗୁଡ଼ିକୁ ଯିବା ପାଇଁ ଗେଟ୍‌ ଖୁବ୍‌ଶୀଘ୍ର ବନ୍ଦ ହୋଇଯିବ ଏବଂ ସୀମାନ୍ତ ଜମିକୁ ଚାଷୀମାନେ ଯାଇପାରିବେ ନାହିଁ ବୋଲି କୁହାଯାଇଥିଲା।

ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାର ଜିରୋ ଲାଇନ୍‌ ଏବଂ ଭାରତୀୟ ପାର୍ଶ୍ୱ ସୀମାନ୍ତ ବାଡ଼ ମଧ୍ୟରେ ପଞ୍ଜାବ ଚାଷୀଙ୍କର ପ୍ରାୟ ୪୫,୦୦୦ ଏକର ଜମି ରହିଛି। ବିଏସ୍‌ଏଫ୍‌ ପକ୍ଷରୁ କୌଣସି ଲିଖିତ ନିର୍ଦ୍ଦେଶ ଜାରି ହୋଇ ନ ଥିବାବେଳେ ଏହାର ଅଫିସରମାନେ ସୋମବାର ସନ୍ଧ୍ୟା ସୁଦ୍ଧା ଜମିରୁ ଫସଲ ଉଠାଇନେବାକୁ କହିଥିବା ପଞ୍ଜାବ ସୀମାନ୍ତ ଅଞ୍ଚଳ କିଷାନ ସଂଘର ଉପାଧ୍ୟକ୍ଷ ସୁର୍ଜିତ ସିଂ ଭୁରା କହିଛନ୍ତି।

Share