ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ ଆଉକେବେ ରାଇସ୍ ମିଲ୍ରେ କଟନୀଛଟନୀ ହୋଇଥାଏ। କଟନୀଛଟନୀ ବିନା ଧାନ ଉଠାଇବାକୁ ମିଲର୍ସମାନେ ସାଧାରଣତଃ ସହମତ ହୋଇ ନଥାନ୍ତି। ତେବେ ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଏହି ଧାନ କଟନୀଛଟନୀକୁ ଭାଜପା ଏକ ପ୍ରସଙ୍ଗ କରି ତତ୍କାଳୀନ ବିଜେଡ଼ି ସରକାରକୁ ଘେରିଥିଲା। ଏପରିକି ନିର୍ବାଚନୀ ପ୍ରଚାର ସମୟରେ ମଧ୍ୟ ଭାଜପା ଏହାକୁ ଏକ ପ୍ରସଙ୍ଗଭାବେ ରଖିଥିଲା। ତେବେ ସରକାର ସିନା ବଦଳିଲା, ମଣ୍ଡିରେ ଧାନବିକ୍ରି ସମୟରେ ପୂର୍ବବତ୍ କଟନୀଛଟନୀ ଲାଗି ରହିଛି। ଅନ୍ୟପଟେ ଧାନର ଗୁଣମାନ ପରୀକ୍ଷା ପାଇଁ ମଣ୍ଡି ଗୁଡ଼ିକରେ ଗ୍ରେନ୍ ଏନାଲାଇଜର ମେଶିନ ବସାଗଲା। ତେବେ ଏଭଳି କଟନୀଛଟନୀକୁ ବିରୋଧ କରି ଅନେକ ସମୟରେ ଚାଷୀମାନେ ଆନ୍ଦୋଳନକୁ ଓହ୍ଳାଇଥିବା ନଜୀର ରହିଛି। ମାତ୍ର ମଙ୍ଗଳବାର ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ମଣ୍ଡିରେ ଧାନବିକ୍ରି ସମ୍ଯଯା ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇ ଥିବାବେଳେ ସେଠାରେ ପ୍ରଶାସନ, ଚାଷୀ ଏବଂ ମିଲର୍ସ ପ୍ରତିନିଧିଙ୍କ ଉପସ୍ଥିତିରେ ହୋଇଥିବା ତ୍ରିପାକ୍ଷିକ ଆଲୋଚନାରେ ଅତାବିରା ବ୍ଲକର ସମସ୍ତ ମଣ୍ଡିରେ କୁଇଣ୍ଟାଲ ପ୍ରତି ୧ କେଜି ଧାନ କଟନୀଛଟନୀ କରାଯିବା ନିଷ୍ପତ୍ତି ଏବଂ ସେଭଳି ନିଷ୍ପତ୍ତି ଉପରେ ସରକାରୀ ଅଧିକାରୀ ମୋହର ମାରିବା(ଦସ୍ତଖତ ଦେବା) ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।