ରାସ୍ତା କଡ଼ ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ, ୩୧।୭(ସନାତନ ରାଉତ):ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ପଞ୍ଚାୟତ କୁଶଗଡ଼ିଆ ରାସ୍ତା କଡ଼ ବିଲରୁ ଏକ ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତକ କୁଆ ବଗମରା ଗାଁର ଚାଷୀ ସନ୍ତୋଷ ମଲିକ (୬୨) ବୋଲି ପୋଲିସ ସୂଚନା ଦେଇଛି l ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପୁଅ ଉଦୟ କୁମାର ମଲ୍ଲିକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି l
ଅଭିଯୋଗ ମୁତାବକ, ସନ୍ତୋଷ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଘରୁ ଯାଇଥିଲେ l ସକାଳ ୬ ଟାରେ ଉକ୍ତ ସ୍ଥାନରେ ତାଙ୍କ ମୃତଦେହ ପଡ଼ିଥିବା ଖବର ଆସିଥିଲା l ଘଟଣାସ୍ଥଳରେ ଲୋକ ଜମା ହୋଇଥିବା ବେଳେ ପୋଲିସ ପହଞ୍ଚିଥିଲା l ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ହେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି l ମୃତଦେହ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି l