ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। ତିହିଡି଼ ବ୍ଲକ ଅଧୀନ ଜାମଯୋଡ଼ି ଓ ଅମୃତପୁର ସମବାୟ ସମିତି ଅଧୀନରେ ଥିବା ଚାଷୀମାନେ ଏହାର ପ୍ରତିବାଦରେ ରବିବାର ସକାଳ ୮ଟା ବେଳେ ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥକୁ ଗଦିବଜାରରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ମଣ୍ଡିରୁ ମିଲରମାନେ ଧାନ ଉଠାଇବା ଦିଗରେ ପଦକ୍ଷେପ ନିଆ ନଗଲେ ଚାଷୀମାନେ ଆନ୍ଦୋଳନ ଚାଲୁ ରଖିବେ ବୋଲି ଚେତାବନୀ ଦେଇଛନ୍ତି ।  ଜଣାଯାଇଛି ଯେ ଜାମଯୋଡ଼ି ସମିତି ମଣ୍ଡିରେ ୮ହଜାର ଏବଂ ଅମୃତପୁର ମଣ୍ଡିରେ ୭ହଜାର କୁଇଣ୍ଟାଲ ଧାନବସ୍ତା ପଡ଼ି ରହିଛି । ଏହି ଧାନବସ୍ତା ବର୍ଷା ଖାଇ ଗଜା ମାରିଲାଣି ।ମିଲରମାନେ ଧାନବସ୍ତା ଉଠାଉ ନଥିବାରୁ ଏପ୍ରକାର ପରିସ୍ଥିତି ଉପୁଜିଛି । ଏହି ୨ଟି ସମିତିକୁ ଆବଶ୍ୟକ ଥିବା ଟାର୍ଗେଟ ମିଳୁ ପାରୁନାହିଁ ।ଯାହାଫଳରେ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ହୋଇଛନ୍ତି ଅପରପକ୍ଷେ ମଣ୍ଡିରେ ଧାନ ବିକିଥିବା ବହୁ ଚାଷୀ ଅଦ୍ୟାବଧି ପ୍ରାପ୍ୟ ନପାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଇଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଛନ୍ତି । ଅମୃତପୁର ସମିତି ସଭାପତି ବିଜୟ କୁମାର ରାଉତ ଏବଂ ଜାମଯୋଡ଼ି ସଭାପତି ଅର୍ଜୁନ ଚରଣ ନାୟକଙ୍କ ନେତୃତ୍ୱରେ ଚାଷୀମାନେ ଆନ୍ଦୋଳନ କରିଥିବା ଜଣାଯାଇଛି। ତେବେ ଖବର ଲେଖା ହେବା ଯାଏ ପ୍ରଶାସନିକ କୌଣସି ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି।

Dharitri – Odisha’s No.1 Odia Daily

Share